ଧର୍ମେନ୍ଦ୍ର ଚତୁର ଇସ୍ତଫା ଦେବା ପରେ କାଲିଫର୍ଣ୍ଣିଆର ଜେରେମି କେସେଲ୍‌ଙ୍କୁ ଭାରତ ପାଇଁ ‘ଗ୍ରିଭେନ୍‌ସ୍‌ ଅଫିସର୍‌’ ଭାବେ ନିଯୁକ୍ତ କଲା ‘ଟୁଇଟର୍‌’

ନୂଆଦିଲ୍ଲୀ: ଧର୍ମେନ୍ଦ୍ର ଚତୁର ଇସ୍ତଫା ଦେବାର ଦିନକ ପରେ କାଲିଫର୍ଣ୍ଣିଆର ଜେରେମି କେସେଲ୍‌ଙ୍କୁ ‘ଟୁଇଟର୍‌’ ଭାରତ ପାଇଁ ‘ଗ୍ରିଭେନ୍‌ସ୍‌ ଅଫିସର୍‌’ ଭାବେ ନିଯୁକ୍ତ କରିଛି।

ଟୁଇଟର୍ ୱେବ୍‌ସାଇଟ୍‌ରେ ସୋମବାର ସକାଳେ ହୋଇଥିବା ଅପ୍‌ଡେଟ୍‌ ଅନୁସାରେ, କାଲିଫର୍ଣ୍ଣିଆର ‌ଜେରେମି କେସେଲ୍‌ଙ୍କୁ ଭାରତର ନୂତନ ଗ୍ରିଭେନ୍‌ସ୍‌ ରିଡ୍ରେସାଲ୍‌ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। କିନ୍ତୁ, ତାଙ୍କ ନିଯୁକ୍ତି ନୂତନ ‘ଆଇଟି ନିୟମାନୁସାରେ’ ହୋଇ ନ ଥିବା ଜଣାପଡ଼ିଛି। ନୂତନ ‘ଆଇଟି ନିୟମ ଅନୁସାରେ’ ଗ୍ରିଭେନ୍‌ସ୍‌ ରିଡ୍ରେସାଲ୍‌ ଅଫିସର୍‌ଙ୍କ ସମେତ ସମସ୍ତ ନୋଡାଲ୍‌ ଅଧିକାରୀ ଭାରତରେ ବାସ କରୁଥିବା ଆବଶ୍ୟକ।

ସୂଚନାଯୋଗ୍ୟ, ନୂତନ ସାମାଜିକ ଗଣମାଧ୍ୟମ ନିୟମାବଳୀ ସଂକ୍ରାନ୍ତରେ ଭାରତ ସରକାର ଏବଂ ଟୁଇଟର୍‌ ମଧ୍ୟରେ ମତାନ୍ତର ଚାଲିଥିବା ବେଳେ ଏହି ନୂତନ ନିଯୁକ୍ତି ଦିଆଯାଇଛି। ଜାଣିଶୁଣି ନୂଆ ‘ଆଇଟି ଆଇନ୍’ ଅମାନ୍ୟ କରୁଥିବାରୁ ଭାରତ ସରକାର ଟୁଇଟର୍‌କୁ ସମାଲୋଚନା କରିଛନ୍ତି।

ମେ ୨୫ ତାରିଖ ଦିନ ଲାଗୁ ହୋଇଥିବା ନୂତନ ‘ଆଇଟି ଆଇନ୍‌’ ବ୍ୟବହାରକାରୀ କିଂବା ପୀଡ଼ିତଙ୍କ ଅଭିଯୋଗର ସମାଧାନ ନିମନ୍ତେ ଅଭିଯୋଗ ବିଚାର ବ୍ୟବସ୍ଥା କରିବା ଲାଗି ସାମାଜିକ ଗଣମାଧ୍ୟମ କମ୍ପାନିମାନଙ୍କ ପ୍ରତି ବାଧ୍ୟତାମୂଳକ କରିଥିଲା।

ସମ୍ବନ୍ଧିତ ଖବର