ନୂଆଦିଲ୍ଲୀ: ଗୋଟେ ପରେ ଗୋଟେ ସଫଳତାର ଶିଢ଼ି ଚଢ଼ି ଚାଲିଛନ୍ତି ଟେସଲା ସିଇଓ ଏଲନ୍ ମସ୍କ। ବିଦ୍ୟୁତ୍ ଚାଳିତ ଗାଡ଼ି ତିଆରି କରି ଚର୍ଚ୍ଚାରେ ଥିବା ଏଲନ୍ ମସ୍କ ଏବେ ଟ୍ୱିଟର ବୋର୍ଡରେ ସାମିଲ ହୋଇଛନ୍ତି। ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ଏପ୍ରିଲ୍ ୪ରେ ଖବର ମିଳିଥିଲା ଯେ ଏଲନ୍ ମସ୍କ ଟ୍ୱିଟରରେ ୯.୨ ପ୍ରତିଶତ ଅଂଶଧନ କିଣିଛନ୍ତି ଏବଂ କମ୍ପାନିର ବୃହତ୍ତମ ଅଂଶଧନକାରୀ ହୋଇପାରିଛନ୍ତି। ଏହାର ଠିକ୍ ପରେ ସେ ଟ୍ବିଟର ବୋର୍ଡର ସଦସ୍ୟ ହୋଇଥିବାର ଖବର ମିଳିଛି।
ସିଇଓ ପରାଗ ଅଗ୍ରୱାଲ ଟୁଇଟ କରି କହିଛନ୍ତି ଯେ, ମୁଁ ଏହି ଖବର ସେୟାର କରି ଉତ୍ସାହିତ ଯେ ଆମେ ଆମ ବୋର୍ଡରେ ଏଲନ୍ ମସ୍କଙ୍କୁ ସାମିଲ କରିଛୁ। ଗତ କିଛି ସପ୍ତାହ ହେଲା ଆମେ ଏଲନଙ୍କ ସହ ଅନେକ ବିଷୟରେ ଆଲୋଚନା କରିଥିଲୁ। ସେ ଟ୍ବିଟର ବୋର୍ଡକୁ ଆସିଲେ ଆମକୁ ଅନେକ ସାହାଯ୍ୟ ମିଳିପାରିବ ବୋଲି ସ୍ପଷ୍ଟ ହେବା ପରେ ଆମେ ତାଙ୍କୁ ଟ୍ବିଟର ବୋର୍ଡରେ ସାମିଲ କରିଛୁ। ସେ ଜଣେ ଦୃଢ଼ ବିଶ୍ବାସୀ ଏବଂ ଟ୍ବିଟର ସେବାର ଜଣେ ବଡ ସମାଲୋଚକ, ଯାହା ଟ୍ୱିଟର ଏବଂ ଏହାର ବୋର୍ଡରୁମକୁ ଆବଶ୍ୟକ ଥିଲା। ଏଲନଙ୍କୁ ସ୍ୱାଗତ!
I’m excited to share that we’re appointing @elonmusk to our board! Through conversations with Elon in recent weeks, it became clear to us that he would bring great value to our Board.
— Parag Agrawal (@paraga) April 5, 2022
ଏହାପୂର୍ବରୁ ଟ୍ୱିଟରରେ ଏକ ସର୍ଭେ କରିବାକୁ ଯାଇ ଏଲନ୍ ମସ୍କ ବ୍ୟବହାରକାରୀମାନଙ୍କୁ ଏଡିଟିଂର ବିକଳ୍ପ ଚାହୁଁଛନ୍ତି କି ନାହିଁ ବୋଲି ପଚାରିଥିଲେ। ତେବେ ଟ୍ବିଟରରେ ଏଲନ୍ ମସ୍କର ଅଂଶଧନ କିଣିଥିବା ଖବର ପାଇବା ପରେ ଟ୍ୱିଟରର ଷ୍ଟକରେ ବୃଦ୍ଧି ଘଟିଛି। ଟ୍ୱିଟରର ସେୟାରଗୁଡିକ ୨୭ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି।