ହଟେଇଥିଲା ପୁଣି ଲଗାଇଦେଲା: ଚେତାବନୀ ପାଇବା ପରେ ପୁଣି ଏହି ନେତାମାନଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍‌ ଲଗାଇଲା ଟ୍ୱିଟର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଚେତାବନୀ ପରେ ଟ୍ୱିଟର ନିଜର ଭୁଲକୁ ସଂଶୋଧନ କରିଛି। ଏହା ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନେକ ଆରଏସଏସ ନେତାଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ପୁଣି ଲାଗିଛି | ଟ୍ୱିଟର ଆଜି ସକାଳୁ ବ୍ଲୁ ଟିକକୁ ନେଇ ଅଯଥା ବିବାଦ ଭିତରେ ପଶିଥିଲା | ସର୍ବପ୍ରଥମେ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଯାଇଥିଲା | ଏହାର କିଛି ସମୟ ପରେ ଆରଏସଏସ ମୁଖ୍ୟ ମୋହନ ଭଗବତ, ଆରଏସଏସ ନେତା କୃଷ୍ଣ ଗୋପାଳ ସମେତ ଅନ୍ୟମାନଙ୍କ ଟ୍ୱିଟର ଆକାଉଣ୍ଟରୁ ନୀଳ ଟିକ ହଟାଇବାର ଖବର ଆସିଥିଲା।

ଯେତେବେଳେ ବିବାଦ ବଢ଼ିଲା, ଉପରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ପୁନଃସ୍ଥାପିତ ହୋଇଥିଲା, କିନ୍ତୁ ଆରଏସଏସ ନେତାଙ୍କ ଆକାଉଣ୍ଟରେ ବ୍ଲୁ ଟିକ୍ ଦୃଶ୍ୟମାନ ହେଉ ନଥିଲା। ତେବେ ବର୍ତ୍ତମାନ ଟ୍ୱିଟର ପୁଣିଥରେ ନିଜର ଭୁଲକୁ ସଂଶୋଧନ କରି ଆରଏସଏସ ମୁଖ୍ୟ ମୋହନ ଭଗବତ, ସଂଘର ନେତା କୃଷ୍ଣ ଗୋପାଳ ଏବଂ ଅନ୍ୟ ସମସ୍ତ ନେତାଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ଫେରାଇ ଦେଇଛି। ମୋହନ ଭାଗବତ ଏବଂ କୃଷ୍ଣ ଗୋପାଳଙ୍କ ବ୍ୟତୀତ ଆରଏସଏସ ନେତା ସୁରେଶ ସୋନି, ଅରୁଣ କୁମାର ଏବଂ ସୁରେଶ ଯୋଶୀଙ୍କ ଭଳି ବ୍ୟକ୍ତିଙ୍କର ଆକାଉଣ୍ଟରୁ ନୀଳ ଟିକ ହଟାଯାଇଥିଲା ।

ସୂଚନା ଥାଉ କି ଯେ ଟ୍ୱିଟରରୁ ବ୍ଲୁ ଟିକ୍ ହଟାଇବା ଅର୍ଥ ହେଉଛି ଟ୍ୱିଟର ସେହି ଆକାଉଣ୍ଟକୁ ଯାଞ୍ଚ କରିନାହିଁ। ଆଉ ଆଜି ଏହି ଘଟଣା ପରେ କେନ୍ଦ୍ର ସରକାର ମେ ୨୬ରୁ ସୋସିଆଲ ମିଡିଆ ପାଇଁ ଲାଗୁ ହୋଇଥିବା ସର୍ତ୍ତକୁ ତୁରନ୍ତ ପାଳନ କରିବାକୁ ଟ୍ୱିଟରକୁ କହିଥିଲେ ଏବଂ ଯଦି ଟ୍ୱିଟର ତାହା ନକରେ ତେବେ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ସଫା ସଫା ଶୁଣାଇଦେଇଥିଲେ । ଆଉ ଏହା ପରେ ଟ୍ୱିଟର ପକ୍ଷରୁ ହଟାଯାଇଥିବା ବ୍ଲୁ ଟିକକୁ ପୁଣି ଲଗାଯାଇଛି |

ସମ୍ବନ୍ଧିତ ଖବର