ନୂଆଦିଲ୍ଲୀ: ଗତ ସପ୍ତାହରେ ଲଣ୍ଡନ୍ରେ କେତେଗୁଡ଼ିଏ ବ୍ୟାବସାୟିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ‘ଟୁଇଟର୍’ର ‘ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର୍’ (ସିଇଓ) ପରାଗ ଅଗ୍ରୱାଲ୍ ସମୟ ବାହାର କରି ନିଜେ କର୍ମଚାରୀମାନଙ୍କୁ କଫି ପରିବେଷଣ କରିଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ‘ଟୁଇଟର୍’ର ଲଣ୍ଡନ୍ କାର୍ଯ୍ୟାଳୟରେ ପରାଗ ଅଗ୍ରୱାଲ୍ ନିଜେ କଫି ପାଇଁ ‘ଅର୍ଡର୍’ ଗ୍ରହଣ କରୁଥିଲେ। ତାଙ୍କ ସହ ଇଂଲଣ୍ଡ୍ ପାଇଁ ଥିବା ‘ଟୁଇଟର୍’ର ପରିଚାଳନା ନିର୍ଦେଶକ ଦାରା ନାସାର୍ ମଧ୍ୟ କଫି ପରିବେଷଣ କରୁଥିଲେ। ସେହିପରି, ‘ଟୁଇଟର୍’ କାର୍ଯ୍ୟାଳୟର ‘ଚିଫ୍ ଫାଇନାନ୍ସିଆଲ୍ ଅଫିସର୍’ ନେଡ୍ ସେଗଲ୍ ମଧ୍ୟ କଫି ସଙ୍ଗରେ କିଛି ‘କୁକି’ ପରିବେଷଣ କରିଥିଲେ।
ପରାଗ ଅଗ୍ରୱାଲ୍ଙ୍କ ଲଣ୍ଡନ୍ ଗସ୍ତ ଅବସରରେ ଆୟୋଜିତ ପାର୍ଟିରେ ‘ଷ୍ଟାଣ୍ଡ୍-ଅପ୍ କେମେଡି ସୋ’ (ହାସ୍ୟରସ ପରିବେଶଣ କାର୍ଯ୍ୟକ୍ରମ) ମଧ୍ୟ ଆୟୋଜିତ ହୋଇଥିଲା।

ସ୍ମରଣଯୋଗ୍ୟ, ‘ଟୁଇଟର୍’ର ସଂସ୍ଥାପକ ଜ୍ୟାକ୍ ଡର୍ସି ୨୦୨୧ ନଭେମ୍ବରରେ କମ୍ପାନି ଛାଡ଼ି ଚାଲିଯିବା ପରେ ପରାଗ ଅଗ୍ରୱାଲ୍ଙ୍କ ଉପରେ ସବୁ ଦାୟିତ୍ବ ନ୍ୟସ୍ତ କରାଯାଇଛି।
୨୦୨୨ ମେ’ରେ ପରାଗ ଅଗ୍ରୱାଲ୍ ‘ଟୁଇଟର୍’ର ୨ଜଣ ସୁପରିଚି କର୍ମଚାରୀଙ୍କୁ ବହିଷ୍କାର କରିଥିଲେ। ସେମାନେ ହେଉଛନ୍ତି ‘କଞ୍ଜୁମର୍ ପ୍ରଡକ୍ଟ୍’ର ମୁଖ୍ୟ କେୱନ୍ ବେକ୍ପୋର୍ ଏବଂ ‘ରେଭିନ୍ୟୁ’ର ମୁଖ୍ୟ ବ୍ରୁସ୍ ଫ୍ଲେକ୍। ଉଭୟ ‘ପ୍ୟାଟର୍ନିଟି ଲିଭ୍’ରେ ଥିଲେ।
‘ଟୁଇଟର୍’କୁ ଅଧିକ ଟାଣୁଆ କରିବା ଲାଗି କମ୍ପାନିରେ କର୍ମଚାରୀ କାଣ୍ଟଛାଣ୍ଟ କରାଯାଉଛି ବୋଲି ସେ ସ୍ପଷ୍ଟିକରଣ ଦେଇ କହିଥିଲେ।
ସୂଚନାଯୋଗ୍ୟ, ‘ଟେଲ୍ସା’ ଏବଂ ‘ସ୍ପେସ୍ଏକ୍ସ’ର ‘ସିଇଓ’ ଏଲନ୍ ମସ୍କ୍ ୪୪ ବିଲିୟନ୍ ଡଲାର୍ ବିନିମୟରେ ‘ଟୁଇଟର୍’କୁ ଖରିଦ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ, ସେ ‘ଟୁଇଟର୍’ ଜରିଆରେ ଅଗ୍ରୱାଲ୍ଙ୍କୁ ସିଧାସଳଖ ଅପମାନିତ କରିବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଗଲା।