ନୂଆଦିଲ୍ଳୀ: ସାମାଜିକ ଗଣମାଧ୍ୟମ କମ୍ପାନୀ ଟ୍ବିଟର୍ ଓ ଟେସଲା ସିଇଓ ଏଲନ ମସ୍କଙ୍କ ମଧ୍ୟରେ ଥିବା ସମସ୍ୟା ତୁଟିବାର ନାଁ ଧରୁନି। ପ୍ରଥମେ ଅଧିଗ୍ରହଣ ପ୍ରସ୍ତାବ ଦେଇ ପରେ ଏଥିରୁ ଓହରି ଯିବା ପରେ ଟୁଇଟର୍ ମସ୍କଙ୍କ ବିରୋଧରେ ଅଦାଲତକୁ ଯାଇଛି। ଟ୍ବିଟର୍ ମସ୍କଙ୍କ ବିରୋଧରେ ଏକ ଅଭିଯୋଗ ଆଣି କହିଛି ଯେ ଟ୍ବିଟର୍ ଅଧିଗ୍ରହଣ ଉପରେ ଶୁଣାଣି ବିଳମ୍ବ କରିବାକୁ ମସ୍କ କରିଥିବା ଆବେଦନ ସକାଶେ ସର୍ବସାଧାରଣରେ କମ୍ପାନୀର ଭାବମୂର୍ତ୍ତି ଖରାପ ହେଉଛି।
ସାମାଜିକ ଗଣମାଧ୍ୟମ କମ୍ପାନି ‘ଟୁଇଟ୍ର୍’କୁ ଖରିଦ କରିବା ଲାଗି ହୋଇଥିବା ୪୪ ବିଲିୟନ୍ ଡଲାର୍ ଚୁକ୍ତିନାମାର ଟେସ୍ଲାର ସିଇଓ ଏଲନ୍ ମସ୍କ ଓହରିଯିବା ପରେ ଟ୍ବିଟର୍ ମସ୍କଙ୍କ ଉପରେ ମାମଲା ରୁଜୁ କରିିଥିଲା। ସେବେଠାରୁ ହିଁ ଟ୍ବିଟର୍ ଓ ମସ୍କଙ୍କ ମଧ୍ୟରେ ଏକ ରୀତିମତ ବିବାଦ ଦେଖାଦେଇଛି।
ଏହାର ସଫେଇରେ ମସ୍କ କହିଥିଲେ ଯେ ଜାଲ୍ ଆକାଉଣ୍ଟ୍ ସଂକ୍ରାନ୍ତରେ ସୂଚନା ଯୋଗାଇ ଦେବାରେ ‘ଟୁଇଟର୍’ ବିଫଳ ହୋଇଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଟ୍ବିଟର୍କୁ ବାରମ୍ବାର କହିବା ପରେ ବି ସେ ନକଲି ଓ ବଟ୍ ଆକାଉଣ୍ଟ୍ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ଦେବାରେ ବିଫଳ ହୋଇଛି। ରାଜିନାମା (ମର୍ଜର୍ ଏଗ୍ରିମେଣ୍ଟ୍) ଅନୁସାରେ, ଜାଲ୍ ଆକାଉଣ୍ଟ୍ ସଂକ୍ରାନ୍ତରେ ମସ୍କ ବାରମ୍ବାର ତଥ୍ୟ ମାଗିଥିଲେ ବୋଲି ସେ ସଫେଇ ଦେଇଥିଲେ।
ରିପୋର୍ଟରୁ ଜାଣିବାକୁ ମିିଳିଛି ଯେ ଟ୍ବିଟର-ମସ୍କ ମାମଲାର ଶୁଣାଣି ୨୦୨୨ ମସିହା ସେପ୍ଟେମ୍ବର ମାସରେ ହେବାକୁ ସ୍ଥିର ହୋଇଥିଲା। ମସ୍କ ତାହାକୁ ୨୦୨୩ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ କୋର୍ଟରେ ଆବେଦନ କରିଛନ୍ତି। ତେବେ ମସ୍କଙ୍କ ଅନୁସାରେ, ଶୁଣାଣି ଘୁଞ୍ଚିବ କି ପୂର୍ବ ସ୍ଥିରୀକୃତ ତାରିଖରେ ହେବ ତାହାର ନିଷ୍ପତ୍ତି କୋର୍ଟ ଗ୍ରହଣ କରିବେ।