ନୂଆଦିଲ୍ଲୀ: ଶେଷରେ ବହୁ ବିବାଦ ପରେ ଭୁଲ ମାନଚିତ୍ରକୁ ହଟାଇଲା ଟ୍ୱିଟର | ଗତକାଲି ଭାରତର ଭୁଲ ମାନଚିତ୍ରକୁ ପୋଷ୍ଟ କରିଥିଲା ଟ୍ୱିଟର | ଆଉ ସୋସିଆଲ ମିଡିଆରେ ବିରୋଧ ମଧ୍ୟରେ ଟ୍ୱିଟରକୁ ଭାରତର ଭୁଲ ମାନଚିତ୍ରକୁ ନିଜ ୱେବସାଇଟରୁ ହଟାଇବାକୁ ପଡିଛି | ଅନ୍ୟପଟେ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନର କିଛି ନିୟମକୁ ନେଇ ଟ୍ୱିଟରରେ ଭାରତ ସରକାରଙ୍କ ସହ ବିବାଦ ଜାରି ରହିଛି। ଏହି ନୂଆ ବିବାଦ ପରେ ଟ୍ୱିଟର ଇଣ୍ଡିଆର ନିର୍ଦ୍ଦେଶକ ମନୀଷ ମହେଶ୍ୱରୀଙ୍କ ସମସ୍ୟା ଏବେ ବଢିଚାଲିଛି |

Advertisment

ଉତ୍ତରପ୍ରଦେଶର ବୁଲନ୍ଦସହରରେ ମହେଶ୍ୱରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଭାରତର ଭୁଲ ମାନଚିତ୍ର ଦେଖାଇଥିବାରୁ ବଜରଙ୍ଗ ଦଳ ନେତାଙ୍କ ଅଭିଯୋଗ କ୍ରମେ ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ ଧାରା ୫୦୫ (୨) ଏବଂ ଆଇଟି ଆକ୍ଟର ଧାରା ୭୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ସୂଚନା ଥାଉ କି ଟ୍ୱିଟରର କ୍ୟାରିୟର ପୃଷ୍ଠାରେ ଟ୍ୱିପ୍ ଲାଇଫ୍ ବିଭାଗରେ ଏକ ବିଶ୍ୱ ମାନଚିତ୍ର ଦେଖିବାକୁ ମିଳିଥିଲା |

କମ୍ପାନୀ ଦର୍ଶାଇଥିଲା ଯେ ସମଗ୍ର ବିଶ୍ୱରେ ଟ୍ୱିଟରର ଏକ ଦଳ ଅଛି। ଭାରତ ମଧ୍ୟ ଏହି ମାନଚିତ୍ରରେ ଥିଲା କିନ୍ତୁ ଏଠାରେ ଭାରତର ମାନଚିତ୍ରକୁ ବିବାଦୀୟ ଭାବରେ ଦର୍ଶାଯାଇଥିଲା | ଟ୍ୱିଟର ଦ୍ୱାରା ନିଜ ୱେବସାଇଟରେ ଦେଖାଯାଇଥିବା ଭାରତର ମାନଚିତ୍ରରେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଅନ୍ତର୍ଭୂକ୍ତ କରାଯାଇ ନଥିଲା |