ଭାରତୀୟ ଆଇନ ମାନିବାକୁ ଟ୍ବିଟର୍‌ ବାଧ୍ୟ, ଅଧିକାରୀଙ୍କୁ ଶୁଣାଇଲା ସଂସଦୀୟ କମିଟି

ନୂଆଦିଲ୍ଲୀ : ସୂଚନା ଓ ପ୍ରଯୁକ୍ତି ସଂକ୍ରାନ୍ତ ସଂସଦୀୟ କମିଟି ସମ୍ମୁଖରେ ଆଜି ଟ୍ବିଟର ଇଣ୍ଡିଆର ଦୁଇ ବରିଷ୍ଠ ଅଧିକାରୀ ହାଜର ହୋଇଛନ୍ତି। ସେମାନେ ହେଲେ ପବ୍ଲିକ ପଲିସି ମ୍ୟାନେଜର ସଗୁଫ୍‌ତା କାମରନ୍ ଏବଂ ଆଇନ ପରାମର୍ଶଦାତା ଆୟୁଷୀ କପୁର। ସାମାଜିକ ଗଣମାଧ୍ୟମରେ ଦୁରୁପଯୋଗକୁ ରୋକିବା ଏବଂ ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ସଂପର୍କରେ ଅଧିକାରୀମାନଙ୍କୁ କମିଟି କିଛିଦିନ ତଳେ ଡାକିଥିଲା। ତଦନୁଯାୟୀ କଂଗ୍ରେସ ଏମ୍‌ପି ଶଶୀ ଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟି ସମ୍ମୁଖରେ ପ୍ରାୟ ୯୫ ମିନିଟ ଧରି ଅଧିକାରୀ ଦ୍ବୟ ଉପସ୍ଥିତ ରହିଥିଲେ। ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ଏମ୍‌ପିମାନେ ଟ୍ବିଟର ଅଧିକାରୀଦ୍ବୟଙ୍କୁ ନାନା କଡ଼ା ପ୍ରଶ୍ନ ପଚାରିଥିଲେ। ବର୍ତ୍ତମାନ ସୁଦ୍ଧା କାହିଁକି ନିୟମ ପରିପାଳନ କରିବା ଲାଗି ଉଦ୍ଦିଷ୍ଟ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ ବୋଲି ପଚରାଯାଇଥିଲା। ଏଥିସହିତ କମିଟି ପକ୍ଷରୁ ଟ୍ବିଟର ଅଧିକାରୀଙ୍କୁ ଶୁଣାଇ ଦିଆଯାଇଥିବା ଦେଶର ଆଇନ ସବୁଠୁ ଉର୍ଦ୍ଧ୍ବରେ ଏବଂ କମ୍ପାନିକୁ ଆଇନ ମାନିବାକୁ ହେବ। ସେହିଭଳି କମ୍ପାନିରେ ସେମାନଙ୍କ ପାହ୍ୟା କେତେ ଏବଂ ନୀତି ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ସେମାନଙ୍କର କେତେ କ୍ଷମତା କେତେ ରହିଛି ତାହାକୁ କମିଟି ନିକଟରେ ଲିଖିତ ଭାବେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅଧିକାରୀଙ୍କ ଅଧିକାଂଶ ପ୍ରଶ୍ନର ଉତ୍ତର ସ୍ପଷ୍ଟ ନଥିଲା ଏବଂ କେତେକ ପ୍ରଶ୍ନକୁ ସେମାନେ ଏଡାଇ ଯାଇଥିଲେ ବୋଲି କୁହାଯାଉଛି। ବିବାଦୀୟ ବିଷୟବସ୍ତୁ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଟ୍ବିଟରର ନୀତି କ’ଣ ବୋଲି ମଧ୍ୟ କମିଟି ପକ୍ଷରୁ ପଚରାଯାଇଥିଲା। ତେବେ ଅଧିକାରୀମାନେ ଏହା କହିଥିଲେ ଯେ ଭଲ ବୋଲି ଅନୁଭବ କରୁଥିବା ଟ୍ବିଟଗୁଡ଼ିକୁ ସେମାନେ ଉତ୍ସାହିତ ଏବଂ ଖରାପ୍ ଟ୍ବିଟ୍ ଗୁଡ଼ିକୁ ନିରୁତ୍ସାହିତ କରିଥାନ୍ତି। ତେବେ ଟ୍ବିଟରର ଆଭିମୁଖ୍ୟ ଆଇଟି ଆଇନକୁ ଉଲ୍ଲଂଘନ କରୁଛି ବୋଲି ଜଣେ ଏମପି କହିଥିଲେ।

ଗତ କିଛିଦିନ ହେଲା ଟ୍ବିଟର ଇଣ୍ଡିଆର ଅଡ଼ୁଆ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ନୂଆ ଆଇଟି ନିୟମ ମାନିବାକୁ ଟ୍ବିଟରକୁ କହି ଆସୁଥିବାବେଳେ ଟ୍ବିଟର ଏପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ କରିନାହିଁ। ଅନ୍ୟପଟେ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ପୁଲିସ ପକ୍ଷରୁ ମଧ୍ୟ ଟ୍ବିଟରର ଅଡ଼ୁଆ ବଢ଼ିଛି। କଂଗ୍ରେସ ଟୁଲକିଟ୍ ମାମଲାରେ ଦିଲ୍ଲୀ ପୁଲିସ ନୋଟିସ ପଠାଇ ଥିବାବେଳେ ଗାଜିଆବାଦରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ଘ‌ଟଣାରେ ଉତ୍ତର ପ୍ରଦେଶ ପୁଲିସ ଏହା ବିରୋଧରେ ମାମଲା ରୁଜୁ କରିଛି। ଏଥିସହିତ ୟୁପି ପୁଲିସ ଟ୍ବିଟର ଇଣ୍ଡିଆ ମୁଖ୍ୟଙ୍କୁ ଏକ ଆଇନଗତ ନୋଟିସ ପଠାଇଛି। ତାଙ୍କୁ ଦିଲ୍ଲୀ ସୀମା ନିକଟ କୌଣସି ଏକ ଥାନାରେ ହାଜର ହୋଇ ବୟାନ ରେକର୍ଡ ପାଇଁ ୭ ଦିନ ମଧ୍ୟରେ ହାଜର ହେବାକୁ କୁହାଯାଇଛି। କଂଗ୍ରେସ ଟୁଲକିଟ୍ ମାମଲାରେ ଦିଲ୍ଲୀ ପୁଲିସ ଟ୍ବିଟର ଇଣ୍ଡିଆର ଦିଲ୍ଲୀ ଓ ଗୁରୁଗ୍ରାମ କାର୍ଯ୍ୟାଳୟକୁ ଯାଇ ନୋଟିସ ଦେଇଥିଲା।ଏହାପରେ ବେଙ୍ଗାଲୁରଠାରେ କମ୍ପାନିର ଏମ୍‌ଡି ମନିଷ ମାହେଶ୍ବରୀକୁ ଗତମାସ ୩୧ ତାରିଖରେ ପଚରାଉଚରା କରିଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ ଦେଶରେ ନୂଆ ଡିଜିଟାଲ ନିୟମ ଗତମାସ ୨୬ ତାରିଖରୁ କାର୍ଯ୍ୟକାରୀ କରାଯାଇଛି। ତେବେ ଚଳିତମାସରେ କମ୍ପାନି ସୂଚନା ଦେଇଥିଲା ଯେ କାମଚଳା ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ କମ୍ପାନି ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଆଗାମୀ ଦିନରେ ଜଣାଇ ଦିଆଯିବ।

ସମ୍ବନ୍ଧିତ ଖବର