ନୂଆଦିଲ୍ଲୀ: ବ୍ୟାବସାୟିକ ଏବଂ ସରକାରୀ ବ୍ୟବହାରକାରୀଙ୍କ ଠାରୁ ଟୁଇଟର୍ ସ୍ବଳ୍ପ ଦେୟ ନେଇପାରେ ବୋଲି ମଙ୍ଗଳବାର ଦିନ ଏଲନ୍ ମସ୍କ୍ ସୂଚନା ଦେଇଛନ୍ତି। କିନ୍ତୁ, ସାଧାରଣ ବ୍ୟବହାରକାରୀଙ୍କ ନିମନ୍ତେ ଟୁଇଟର୍ ପୂର୍ବଭଳି ଦେୟମୁକ୍ତ ରହିବ ବୋଲି ସେ କହିଛନ୍ତି।
ବୁଧବାର ପ୍ରତ୍ୟୁଷରେ ଟୁଇଟ୍ କରି ମସ୍କ୍ କହିଛନ୍ତି: ସାଧାରଣ ବ୍ୟବହାରକାରୀଙ୍କ ନିମନ୍ତେ ଟୁଇଟର୍ ସଦାସର୍ବଦା ଦେୟମୁକ୍ତ ରହିବ, କିନ୍ତୁ ବ୍ୟାବସାୟିକ/ସରକାରୀ ବ୍ୟବହାରକାରୀଙ୍କ ଠାରୁ ସ୍ବଳ୍ପ ମୂଲ୍ୟ ଦାବି କରିପାରେ।
ସ୍ମରଣଯୋଗ୍ୟ, ଗତ ମାସରେ ‘ଟେଲ୍ସା’ ମୁଖ୍ୟ ଏଲନ୍ ମସ୍କ୍ ପ୍ରାୟ ୪୪ ବିଲିୟନ୍ ଡଲାର ବିନିମୟରେ ‘ଟୁଇଟର୍’ର ୧୦୦% ଅଶଂ କ୍ରୟ କରିଛନ୍ତି। ଗତ ମାସଠାରୁ ‘ଟୁଇଟର୍’ରେ ବ୍ୟାପକ ପରିବର୍ତ୍ତନ ନିମନ୍ତେ ଏଲନ୍ ମସ୍କ୍ ପ୍ରସ୍ତାବ ଦେଇ ଆସୁଛନ୍ତି। ଟୁଇଟର୍ର ମାଲିକାନା ହାସଲ କରିବା ପରେ ମସ୍କ୍ କହିଛନ୍ତି, ନୂଆ ବୈଶିଷ୍ଟ୍ୟ ସଂଯୋଗ କରି ସେ ଏହି ମାଇକ୍ରୋବ୍ଲଗିଙ୍ଗ୍ ପ୍ଲାଟ୍ଫର୍ମକୁ ସମ୍ପ୍ରସାରଣ କରିବାକୁ ଇଚ୍ଛୁକ।
Image Courtesy of The Economic Timesଚଳିତ ବର୍ଷ ୪୪ ବିଲିୟନ୍ ଡଲାର୍ ମୂଲ୍ୟର ଏହି ବିକ୍ରୟ ରାଜିନାମା କାର୍ଯ୍ୟ ଶେଷ ହୋଇଯିବା ପରେ ଟୁଇଟର୍ର ମୁଖ୍ୟ ପରାଗ ଅଗ୍ରୱାଲ୍ଙ୍କ ସ୍ଥାନରେ ଆଉ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ମସ୍କ୍ ସ୍ଥିର କରିଛନ୍ତି। ସେହିପରି, ଟୁଇଟର୍ର ନ୍ୟାୟିକ ମୁଖ୍ୟ ବିଜୟ ଗାଡ୍ଡେଙ୍କୁ ମଧ୍ୟ ବହିଷ୍କାର କରିବା ଲାଗି ଏଲନ୍ ମସ୍କ୍ ଯୋଜନା କରିଥିବା କଥା ‘ଦି ନ୍ୟୁୟର୍କ ପୋଷ୍ଟ୍’ କହିଛି।
ଗତ ମାସରେ ଟୁଇଟର୍ ସହ କ୍ରୟ ରାଜିନାମା କରିବା ପୂର୍ବରୁ ମୂଲ୍ୟ ହ୍ରାସ କରିବା ସମେତ ‘ଟୁଇଟର୍ ବ୍ଲୁ ପ୍ରିମିୟମ୍ ସବ୍ସ୍କ୍ରିପ୍ସନ୍ ସର୍ଭିସ୍’ରେ କେତେକ ପରିବର୍ତ୍ତନ ନିମନ୍ତେ ଏଲନ୍ ମସ୍କ୍ ପ୍ରସ୍ତାବ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/em.jpg)