ବିଧାନସଭା ନିର୍ବାଚନ ପାଇଁ ଟ୍ୱିଟରର ସଜବାଜ: ଆଣୁଛି ଏସବୁ ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଟ୍ୱିଟର ଅନେକ ବୈଶିଷ୍ଟ୍ୟ ଆରମ୍ଭ କରିବାକୁ ଘୋଷଣା କରିଛି। ଏଥିମଧ୍ୟରୁ ପ୍ରଥମଟି ହେଉଛି ଭାରତୀୟ ନିର୍ବାଚନ ଆୟୋଗ ଏବଂ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସହିତ ମିଶି ୬ଟି ଭାଷାରେ ନିର୍ବାଚନ ସମ୍ପର୍କିତ ସୂଚନା ଦିଆଯିବ | ଦ୍ୱିତୀୟଟି ହେଉଛି ଯୁବପିଢିଙ୍କ ପାଇଁ ଡେମୋକ୍ରାସି ଅଡ୍ଡା ଓ ତୃତୀୟଟି ମହିଳା ନେତ୍ରୀଙ୍କ ସମ୍ପର୍କିତ ‘ହର ପଲିଟିକାଲ ଜର୍ଣ୍ଣି’ | ଟ୍ୱିଟର ପକ୍ଷରୁ ଆରମ୍ଭ ହେବାକୁ ଥିବା ନିର୍ବାଚନ ସୂଚନା ୬ଟି ଭାଷାରେ ଉପଲବ୍ଧ ହେବ |

ଯେଉଁଥିରେ ହିନ୍ଦୀ, ତାମିଲ, ଇଂରାଜୀ, ବଙ୍ଗଳା, ମାଲାୟଲମ ସହ ଅସମୀୟା ଭାଷାରେ ନିର୍ବାଚନ ସମ୍ପର୍କିତ ସମସ୍ତ ସୂଚନା ଦିଆଯିବ | ବିଧାନସଭା ନିର୍ବାଚନରେ ​​ସାଧାରଣ ଜନତାଙ୍କ ଯୋଗଦାନକୁ ଉତ୍ସାହିତ କରିବା ଏହି ବୈଶିଷ୍ଟ୍ୟର ଲକ୍ଷ୍ୟ ଥିବାବେଳେ ଏହା ଅଧୀନରେ ପ୍ରାର୍ଥୀଙ୍କ ତାଲିକା, ମତଦାନ ତାରିଖ ସହିତ ମତଦାନ କେନ୍ଦ୍ରର ସୂଚନା ସହଜରେ ମିଳିପାରିବ। ସେହିପରି ଡେମୋକ୍ରାସି ଅଡ୍ଡାରେ ଭାରତୀୟ ଯୁବକମାନଙ୍କ ମଧ୍ୟରେ ଭୋଟଦାନକୁ ନେଇ ସଚେତନତା ଆଣିବା ସହ ବିଭିନ୍ନ ସିରିଜ ପ୍ରସ୍ତୁତ କରାଯାଇଛି |

ଏହି ସିରିଜଗୁଡିକ ହିନ୍ଦୀ, ଇଂରାଜୀ, ବଙ୍ଗଳା, ତାମିଲ ଏବଂ ମାଲାୟାଲମ୍ ଭାଷାରେ ହେବ | ‘ହର ପଲିଟିକାଲ ଜର୍ଣ୍ଣି’ ରେ ରାଜନୀତି କ୍ଷେତ୍ରରେ ମହିଳା ନେତ୍ରୀମାନଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟରେ ଭିଡିଓ ସିରିଜ୍ ପ୍ରସ୍ତୁତ କରାଯିବ | ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟ ରାଜନୀତିରେ ମହିଳାଙ୍କ ଭୂମିକାକୁ ସାମ୍ନାକୁ ଆଣିବା। ଏହି ଭିଡିଓ ସିରିଜ୍ ମହିଳା ନେତ୍ରୀଙ୍କ ବ୍ୟକ୍ତିଗତ ରାଜନୈତିକ କାହାଣୀ ଉପରେ ଆଧାରିତ ହେବ |

ସମ୍ବନ୍ଧିତ ଖବର