କପିରାଇଟ୍ ସମସ୍ୟାକୁ ନେଇ ଅମିତ ଶାହାଙ୍କ ପ୍ରୋଫାଇଲ ଫଟୋକୁ କିଛିସମୟ ପାଇଁ ହଟାଇଲା  ଟ୍ବିଟର

ନୂଆଦିଲ୍ଲୀ : ଗୁରୁବାର ରାତିରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଟ୍ବିଟର ହାଣ୍ଡଲ କିଛି ସମୟ ପାଇଁ ଅଚଳ ହେବା ସହ ତାଙ୍କର ପ୍ରୋଫାଇଲ ଫଟୋକୁ ଉଠାଇ ଦିଆଯାଇଥିଲା । କିନ୍ତୁ କିଛି ସମୟ ପରେ ଏହି ଟ୍ବିଟର ହାଣ୍ଡଲଟି ପୁଣିଥରେ ଚାଲୁ ହୋଇଥିଲା ।

ଏ ସମ୍ପର୍କରେ ଟ୍ବିଟର ପକ୍ଷରୁ କୁହାଯାଇଛି ଯେ କମ୍ପାନିର କପିରାଇଟ ନୀତି ଅନୁସାରେ ଉକ୍ତ ଟ୍ବିଟର ହାଣ୍ଡଲକୁ କିଛି ସମୟ ପାଇଁ ଅଚଳ କରାଯାଇଥିଲା । ଜଣେ କପିରାଇଟଧାରୀଙ୍କ ଦାବି ପରେ ଅମିତ ଶାହାଙ୍କ ଫଟୋକୁ ଟ୍ବିଟର ପ୍ରତ୍ୟାହାର କରିନେଇଥିଲା । କିନ୍ତୁ ପରେ ଏହି ନିଷ୍ପତ୍ତିକୁ ବଦଳାଯାଇଥିଲା ଓ ଆକାଉଣ୍ଟକୁ ପୁଣି ଚାଲୁ କରାଯାଇଥିଲା ।

Amit Shah Twitter picture

ଟ୍ବିଟରର କପିରାଇଟ ନିୟମ ଅନୁସାରେ ଗୋଟିଏ ଫଟୋ ଉପରେ ଫଟୋରେ ଥିବା ବ୍ୟକ୍ତି ନୁହେଁ, ଫଟୋଗ୍ରାଫରର କପିରାଇଟକୁ ମାନ୍ୟତା ଦିଆଯିବ ।

ଅମିତ ଶାହାଙ୍କ ଫଟୋ ହଟିବା ପରେ ତାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।

ଟ୍ବିଟରରେ ଅମିତ ଶାହାଙ୍କର ପ୍ରାୟ ୨୩ ଲକ୍ଷ ଫଲୋଅର ଥିବାବେଳେ ସେ ୨୯୬ ଲୋକଙ୍କୁ ଫଲୋ କରନ୍ତି ।

ଅନ୍ୟପକ୍ଷରେ ଲଦାଖର ରାଜଧାନୀ ଲେହକୁ ଜମ୍ମୁ ଓ କଶ୍ମୀର ମଧ୍ୟରେ ଦେଖାଯିବାକୁ ନେଇ ଭାରତ ସରକାର ଟ୍ବିଟରକୁ ନୋଟିସ ଜାରି କରିଛନ୍ତି । ୫ ଦିନ ମଧ୍ୟରେ ଏ ନେଇ ସ୍ପଷ୍ଟୀକରଣ ରଖିବାକୁ କେନ୍ଦ୍ର ଆଇଟି ଓ ଇଲେକ୍ଟ୍ରୋନିକ ବିଭାଗ ପକ୍ଷରୁ ଟ୍ବିଟରକୁ କୁହାଯାଇଛି ।

 

ସମ୍ବନ୍ଧିତ ଖବର