ଟ୍ବିଟରର ନୂଆ ଫିଚର: ଆଗକୁ ୩୦ମିନିଟ ମଧ୍ୟରେ ଏଡିଟ କରିହେବ ଟ୍ବିଟ, ହେଲେ…

ନୂଆଦିଲ୍ଲୀ: ଅପେକ୍ଷା ଅନ୍ତ ଘଟିଲା। ଟ୍ୱିଟର ଶେଷରେ ସେହି ବୈଶିଷ୍ଟ୍ୟକୁ ଆଣିବାକୁ ଯାଉଛି ଯାହାକୁ ଲୋକମାନେ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥିଲେ। ଆଜ୍ଞା ହଁ,  ଖୁବ ଶୀଘ୍ର ଟ୍ୱିଟର ଏହାର ଉପଭୋକ୍ତାମାନଙ୍କୁ ଏକ ବିଶେଷ ଉପହାର ଦେବାକୁ ଯାଉଛି। କମ୍ପାନି ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ବହୁ ପ୍ରତୀକ୍ଷିତ ଏଡିଟ୍ ବଟନ୍ ବୈଶିଷ୍ଟ୍ୟ ଆଣିବ ବୋଲି ଗୁରୁବାର ଘୋଷଣା କରିଛି। ତେବେ ଆଗକୁ କେବଳ ‘ଟ୍ବିଟର ବ୍ଲୁ ସବସ୍କ୍ରାଇବର’ଙ୍କୁ ଏହି ସୁବିଧା ମିଳିବ ବୋଲି ଜଣାପଡ଼ିଛି। ଅର୍ଥାତ୍ ଟ୍ବିଟ ଏଡିଟ କରିବା ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ହେବ। ଟଙ୍କା ଦେଇ ‘ଟ୍ବିଟର ବ୍ଲୁ ସବସ୍କ୍ରାଇବର’ ହେବା ପରେ ହିଁ ଆପଣଙ୍କୁ ଏଡିଟ୍ କରିବାର ସୁବିଧା ମିିଳିପାରିବ।

ଏହି ବୈଶିଷ୍ଟ୍ୟ ଉପଭୋକ୍ତାମାନଙ୍କୁ ଟ୍ବିଟ ପୋଷ୍ଟ କରିବାର ଅଧ ଘଣ୍ଟା ଭିତରେ ଟ୍ୱିଟ୍ ଏଡିଟ୍ କରିବାକୁ ଅନୁମତି ଦେବ। ଏହା ସହ ଟ୍ବିଟ ଏଡିଟ୍ ହୋଇଛି କି ନାହିଁ ତାହା ଅନ୍ୟ ବ୍ୟବହାରକାରୀ ମଧ୍ୟ ଜାଣିପାରିବେ। ବିଶେଷ କଥା ହେଉଛି ଉପଭୋକ୍ତାମାନେ ଏଡିଟ୍ ହୋଇଥିବା ଟ୍ୱିଟ୍ ସହିତ ମୂଳ ଟ୍ୱିଟ୍ ଦେଖିବାକୁ ସକ୍ଷମ ହେବେ। ବର୍ତ୍ତମାନ ଯଦି ଆପଣ କିଛି ଟ୍ୱିଟ୍ କରୁଛନ୍ତି ଏବଂ ପରେ ଏଥିରେ ଭୁଲ ବାହାରୁଛି, ତେବେ ଏହାକୁ ଆପଣ ଏଡିଟ କରିପାରୁନଥିବାରୁ ଡିଲିଟ କରିବାକୁ ବାଧ୍ୟ ହେଉଛନ୍ତି। ଟ୍ବିଟ ଭୁଲ ଥିଲେ ୟୁଜରଙ୍କୁ ଟ୍ବିଟ ଡିଲିଟ କରି ଆଉ ଥରେ ଟ୍ବିଟ କରିବା ପଡ଼ୁଛି। ହେଲେ ‘ଟ୍ବିଟର ବ୍ଲୁ ସବସ୍କ୍ରାଇବ’ର ହେଲେ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ।

ଟ୍ୱିଟର ଅନୁଯାୟୀ, ଏଡିଟ୍ ବଟନ୍ ବୈଶିଷ୍ଟ୍ୟ ଆଣିବା ପୂର୍ବରୁ ବର୍ତ୍ତମାନ ଏ‌ହାର ପରୀକ୍ଷା କରାଯାଉଛି ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ଟ୍ୱିଟର ନିଜ  ‘ବ୍ଲୁ ସବସ୍କ୍ରାଇବର’ଙ୍କୁ ଏହି ସୁବିଧା ଯୋଗାଇ ଦେବ। କମ୍ପାନୀ କହିଛି ଯେ ଏହି ବୈଶିଷ୍ଟ୍ୟକୁ  ଅନ୍ୟ ଦେଶରେ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଗୋଟିଏ ଦେଶରେ ପରୀକ୍ଷା କରାଯିବ। ଟ୍ୱିଟର ବ୍ଲୁ ହେଉଛି କମ୍ପାନୀର ପ୍ରିମିୟମ୍ ସବସ୍କ୍ରିପସନ୍ ସେବା।

ସମ୍ବନ୍ଧିତ ଖବର