ଟୁଇଟର୍‌ ଟ୍ୟାଗ୍‌ ଯାଞ୍ଚ ମାମଲା: ନିଃସର୍ତ୍ତ କ୍ଷମା ପ୍ରାର୍ଥନା ପରେ ହଟିଲା ଜରିମାନା

ନୂଆଦିଲ୍ଲୀ : ଟୁଇଟର୍‌ ଟ୍ୟାଗ ଯାଞ୍ଚ ମାମଲାରେ ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ତଥା ଓଡ଼ିଶା କ୍ୟ‌ାଡର୍‌ ଅବସରପ୍ରାପ୍ତ ଆଇପିଏସ୍‌ ଏଲ୍‌. ନାଗେଶ୍ବର ରାଓଙ୍କ ଉପରେ ଦିଲ୍ଲୀ ହାଇକୋର୍ଟ ଲଗାଇଥିବା ଜରିମାନାକୁ ହଟାଇ ନେଇଛନ୍ତି। ଚଳିତ ବର୍ଷ ମେ ୧୭ରେ ଦିଲ୍ଲୀ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଜଷ୍ଟିସ୍‌ ଯଶୋୱନ୍ତ ବର୍ମା ଶ୍ରୀ ରାଓଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲଗାଇଥିଲେ।

ଟୁଇଟର୍‌ ଦ୍ବାରା ଯାଞ୍ଚ ଟ୍ୟାଗ୍‌ ହଟାଇବାକୁ ନେଇ ସେ ଏପ୍ରିଲରେ ଏକ ପିଟିସନ ଦିଲ୍ଲୀ ହାଇକୋର୍ଟରେ ଦାଖଲ କରିଥିଲେ। ହାଇକୋର୍ଟ ତାଙ୍କ ପିଟିସନର ଶୁଣାଣି କରି ତାଙ୍କୁ ପୁନଃ ଯାଞ୍ଚ ଟ୍ୟାଗ୍‌ ପାଇଁ ଆଉ ଥରେ ଆବେଦନ କରିବା ପାଇଁ କହିଥିଲେ। ଆଦେଶ ଆଧାରରେ ସେ ଏପ୍ରିଲରେ ଏଥି ପାଇଁ ଆବେଦନ କରିଥିଲେ। ହେଲେ ମେ ସୁଦ୍ଧା ଯାଞ୍ଚ ଟ୍ୟାଗ ନମିଳିବାରୁ ସେ ପୁନର୍ବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ମାମଲାର ଶୁଣ‌ାଣି କରି ଆବେଦନକାରୀଙ୍କୁ ଏତେ ଶୀଘ୍ର ପିଟିସନ୍‌ ଦାଖଲ କରିବାର କୌଣସି ଔଚିତ୍ୟ ନଥିଲା ବୋଲି କହିଥିଲେ। ଆବେଦନକୁ ବିଚାର କରିବା ପାଇଁ ଟୁଇଟର୍‌କୁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନଥିବା କହି ଶ୍ରୀ ରାଓଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲଗାଇଥିଲେ। ଆଜି ଶ୍ରୀ ରାଓ ଖଣ୍ଡପୀଠଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପରେ ତାଙ୍କ ଉପରେ ଲଗାଯାଇଥିବା ଜରିମାନାକୁ ହଟାଇ ଦିଆଯାଇଛି।

ସମ୍ବନ୍ଧିତ ଖବର