ନୂଆଦିଲ୍ଲୀ: ଟ୍ବିଟର୍ରେ ମାତ୍ରାଧିକ ନକଲି ଆକାଉଣ୍ଟ୍ ରହିଥିବା କାରଣ ଦର୍ଶାଇ ଟ୍ବିଟର୍ ସହ ଟେସଲାର ସିଇଓ ଏଲନ ମସ୍କ ଚୁକ୍ତି ବାତିଲ୍ କରିବା ପରେ ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। କୋର୍ଟରେ ଟ୍ବିଟର୍ ଓ ଏଲନ ମସ୍କଙ୍କ ମାମଲା ଶୁଣାଣି ସମୟରେ ମସ୍କଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ଅଦାଲତରେ ଟ୍ବିଟର୍ ପକ୍ଷରୁ କୁହାଯାଇଛି।
ଟ୍ବିଟର୍ ପକ୍ଷରୁ ଲଢୁଥିବା ଓକିଲ ନିଜ ମତ ରଖି କହିଛନ୍ତି ଯେ ମସ୍କ ଟ୍ବିଟ୍ର ନକଲି ବା ଫେକ୍ ଆକାଉଣ୍ଟ୍କୁ ନେଇ ଯେଉଁ ତଥ୍ୟ ଦେଇଛନ୍ତି ସେ ନେଇ ତାଙ୍କ ନିକଟରେ କୌଣସି ପ୍ରମାଣ ନାହିଁ।
ଜୁଲାଇ ମାସରେ ମସ୍କଙ୍କର ଦୁଇ ତଥ୍ୟ ବିଶେଷଜ୍ଞ ତଥ୍ୟ ପ୍ରଦାନ କରିଥିଲେ ଯେ ଟ୍ବିଟର୍ର ନକଲି ଆକାଉଣ୍ଟ୍ ସଂଖ୍ୟା ୫.୩ ଏବଂ ୧୧ ପ୍ରତିଶତ ରହିଛି। ମାତ୍ର ଏହି ଅଭିଯୋଗକୁ ନେଇ ମସ୍କ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଦେଇପାରିନାହାନ୍ତି, ଯାହାକି ସେ ସାରା ଦୁନିଆକୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଏପ୍ରିଲ୍ରେ ହୋଇଥିବା ଟ୍ବିଟର୍ ଓ ଟେସଲାର ସିଇଓ ଏଲନ୍ ମସ୍କଙ୍କ ଚୁକ୍ତି ମାତ୍ର ୩ ମାସ ମଧ୍ୟରେ ଜୁଲାଇ ମାସରେ ଭାଙ୍ଗିଯାଇଛି। ଆରମ୍ଭରୁ ଟଙ୍କାକୁ ନେଇ ଚୁକ୍ତି ଚର୍ଚ୍ଚାରେ ରହିଥିବା ବେଳେ ପରେ ସିଇଓଙ୍କ ସହ ମତଭେଦକୁ ନେଇ ବି ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ଟ୍ବିଟର୍। ଶେଷରେ ଏଲନ୍ ମସ୍କ ଓ ଟ୍ବିଟର୍ ଚୁକ୍ତି ଭାଙ୍ଗିଯାଇଥିଲା ଜୁଲାଇ ମାସରେ।
ଚଳିତବର୍ଷ ଏପ୍ରିଲ୍ ମାସରେ ଏଲନ୍ ମସ୍କ ଟ୍ବିଟର୍ କିଣିବା ପାଇଁ ଏକ ଚୁକ୍ତି କରିଥିଲେ। ପରେ ସେ ଟ୍ବିଟର ଡିଲ୍ ବାତିଲ କରିପାରନ୍ତି ବୋଲି ଶୁଣିବାକୁ ମିଳୁଥିଲା। ଟ୍ୱିଟର ଜାଣିଶୁଣି ସ୍ପାମ ଆକାଉଣ୍ଟର ତଥ୍ୟ ଲୁଚାଉଛି ବୋଲି ଅଭିଯୋଗ କରିବା ସହ ମସ୍କ ୪୪ ବିଲିୟନ୍ ଡଲାର୍ ଏହି ଡିଲକୁୁ ବାତିଲ କରିଥିଲେ।