‘ଚାଲ ଚା ପିଇବା’! ଲାଲକିଲ୍ଲାରେ ଆନ୍ଦୋଳନକାରୀଙ୍କ ଉନ୍ମତ୍ତ କାଣ୍ଡକୁ ନେଇ କିଏ ଏଭଳି କହିଲା ଜାଣନ୍ତୁ ?

ସତ ହେଲା ଦିଲ୍ଲୀ ପୁଲିସର ଆଶଙ୍କା

ନୂଆଦିଲ୍ଲୀ: ଆଜି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଅ‌ାନ୍ଦୋଳନରତ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ଟ୍ରାକ୍ଟର ରାଲି ଓ ଏଥିରୁ ପ୍ରସୂତ ହିଂସାକାଣ୍ଡକୁ ନେଇ ପାକିସ୍ତାନର କିଛି ଟ୍ୱିଟର ବ୍ୟବହାରକାରୀ ଖୁସି ମନାଇଛନ୍ତି | ଭାରତରେ ହିଂସାକୁ ନେଇ ପାକିସ୍ତାନର କିଛି ଟ୍ୱିଟର ବ୍ୟବହାରକାରୀ ବିବାଦୀୟ ପୋଷ୍ଟ କରିଛନ୍ତି | ଆନ୍ଦୋଳନକାରୀ ଦିଲ୍ଲୀର ଆଇଟିଓ ନିକଟରେ ପୁଲିସ କର୍ମଚାରୀ ମାଡ ମାରିଛନ୍ତି ଓ ବ୍ୟାରିକେଡ୍ ଭାଙ୍ଗି ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି | ତେବେ ଏହାରି ମଧ୍ୟରେ ଆଜି ଲାଲକିଲ୍ଲାରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ନେଇ ସାରା ଦେଶରୁ ପ୍ରତିବାଦ ଆରମ୍ଭ ହୋଇଛି |

ଲାଲକିଲ୍ଲାରେ ଦଳେ ବିକ୍ଷୋଭକାରୀ ଜାତୀୟ ପତାକାକୁ ଫିଙ୍ଗି ଦେଇ ନିଜର ଧର୍ମୀୟ ପତାକା ଉତ୍ତୋଳନ କରିଛନ୍ତି, ଏହାକୁ ପାକିସ୍ତାନର କିଛି ଟ୍ୱିଟର ବ୍ୟବହାରକାରୀ ସେୟାର କରିବାରେ ଲାଗିଛନ୍ତି | ପାକିସ୍ତାନ ଫାଷ୍ଟ ନାମକ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ଲେଖାଯାଇଛି ଯେ, ‘ଲାଲକିଲ୍ଲାରେ ଖାଲସା ପତାକା। ଇତିହାସ ସୃଷ୍ଟି ହୋଇଛି | ଚାଲ ଚା ପିଇବା’ | ସମାନ ଟ୍ୱିଟର ଆକାଉଣ୍ଟରୁ ଆଉ ଏକ ଭିଡିଓ ପୋଷ୍ଟ କରାଯାଇଛି। ଏଥିରେ ବିକ୍ଷୋଭକାରୀମାନେ ତ୍ରିରଙ୍ଗାକୁ ଅପମାନିତ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଲେଖାଅଛି, ‘ବିରୋଧକାରୀ ଏବଂ ଭାରତୀୟ ପତାକା।’

ପାକିସ୍ତାନ ଫାଷ୍ଟ ନାମକ ଟ୍ୱିଟର ହ୍ୟାଣ୍ଡେଲରୁ ଆଉ ଏକ ଭିଡିଓ ସେୟାର କରାଯାଇଛି। ଏଥିରେ ଲେଖାଅଛି, ‘ମୋଦୀଙ୍କ ହିନ୍ଦୁତ୍ୱ ନୀତି ହେତୁ ଭାରତ ପଞ୍ଜାବର ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଅଧିକାର ଦାବି କରିବା ଆରମ୍ଭ କରିଛନ୍ତି, ଯାହା ହେଉଛି ସ୍ୱାଧୀନତା। ଠିକ୍ ଦିଗରେ ଏହା ଏକ ଭଲ ପଦକ୍ଷେପ।’

ସୂଚନା ଥାଉ କି ଦୁଇ ଦିନ ତଳେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର କମିଶନର ଦେବେନ୍ଦ୍ର ପାଠକ କହିଥିଲେ ଯେ ବିଭିନ୍ନ ଗୁପ୍ତଚର ତଥା ଅନ୍ୟାନ୍ୟ ଏଜେନ୍ସି ମାଧ୍ୟମରେ ସୂଚନା ମିଳିଛି ଯେ କିଛି ବ୍ୟକ୍ତି ଟ୍ରାକ୍ଟର ରାଲିରେ ଅରାଜକତା ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି | ଏହା ବ୍ୟତୀତ ଗୁଜବ ପ୍ରଚାର କରିବା ପାଇଁ ପାକିସ୍ତାନରୁ ୩୦୮ ଟ୍ୱିଟର ହ୍ୟାଣ୍ଡେଲ ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର