ନୂଆଦିଲ୍ଲୀ : ଟ୍ବିଟରର ରହିଥିବା ନିୟମକୁ ଉଲ୍ଲଂଘନ କରିଥିବା ଅଭିଯୋଗ‌ରେ ଯେଉଁ ବ୍ୟବହାରକାରୀମାନଙ୍କ ଉପରେ ନିଷେଧାଦେଶ ଜାରି କରାଯାଇଛି ସେମାନଙ୍କ ଉପରୁ ଏତେ ଶୀଘ୍ର କଟକଣା ଉଠାଇବାକୁ ଏହାର ନୂଆ ମାଲିକ ଏଲନ୍ ମସ୍କ ଚାହୁନଥିବା ଜଣାପଡ଼ିଛି। ଟ୍ବିଟରକୁ ସେ କିଣିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଟ୍ବିଟରକୁ ଫେରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସେମାନଙ୍କୁ ସେଥିପାଇଁ ଆଉ କିଛି ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ। କେଉଁ ଆଧାରରେ ସେମାନେ ପୁଣି ପ୍ଲାଟଫର୍ମକୁ ପ୍ରତ୍ୟାବର୍ତନ କରିବେ ତାହା ପ୍ରଥମେ ମସ୍କ ନିର୍ଧାରଣ କରିବାକୁ ଚାହୁଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ବେଳେ ହିଂସାକୁ ଉସୁକାଇଥିବାରୁ ଟ୍ରମ୍ପ୍‌ଙ୍କୁ ଟ୍ବିଟର ନିଷିଦ୍ଧ କରିଥିଲା।