ନୂଆଦିଲ୍ଲୀ: ଧକ୍କା ହେବା ପୂର୍ବରୁ ଅଳ୍ପକେ ବର୍ତ୍ତିଲା ୨ଟି ବିମାନ। ଅସାବଧାନତା ପାଇଁ ନିଲମ୍ବିତ ହେଲେ ୨ଏୟାର ଟ୍ରାଫିକ କଣ୍ଟ୍ରୋଲର। ଭାରତୀୟ ଏୟାରଲାଇନ୍ସର ବିମାନ ଏୟାର ଇଣ୍ଡିଆ ଓ ନେପାଳ ଏୟାରଲାଇନ୍ସର ବିମାନ ପରସ୍ପର ସହ ଧକ୍କା ହେବାରୁ ବର୍ତ୍ତିଥିବା ଜଣାପଡ଼ିଛି। ଶୁକ୍ରବାର ଏହି ଘଟଣା ଘଟିଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି। ଅସାବଧାନତା ପାଇଁ ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧୀକରଣ (ସିଏଏଏନ) ଏୟାର ଟ୍ରାଫିକ କଣ୍ଟ୍ରୋଲର ବିଭାଗର ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।

Advertisment

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସକାଳେ ମାଲେସିଆର କୁଆଲା ଲୁମ୍ପୁରରୁ କାଠମାଣ୍ଡୁକୁ ନେପାଳ ଏୟାରଲାଇନ୍ସର ଏକ ବିମାନ ଆସୁଥିବା ବେଳେ ନୂଆଦିଲ୍ଲୀରୁ କାଠମାଣ୍ଡୁକୁ ଏୟାର ଇଣ୍ଡିଆର ଏକ ବିମାନ ଆସୁଥିଲା। ଏୟାର ଇଣ୍ଡିଆ ବିମାନ ୧୯,୦୦୦ଫୁଟ ଉଚ୍ଚରୁ ଅବତରଣ କରୁଥିବା ବେଳେ ନେପାଳ ଏୟାରଲାଇନ୍ସର ବିମାନ ସେହି ସ୍ଥାନରେ ୧୫,୦୦୦ଫୁଟ ଉଚ୍ଚରେ ଥିଲା। ଦୁଇଟି ବିମାନ ନିକଟତର ହେବା ପରେ ରାଡାରରେ ଏହା ଦେଖି ନେପାଳ ଏୟାରଲାଇନ୍ସ ବିମାନ ପାଇଲଟ ବିମାନରୁ ୭,୦୦୦ଫୁଟକୁ ନେଇ ଆସିଥିଲେ। ଏହା ଫଳରେ ଦୁଇଟି ବିମାନ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଥିଲେ।

ଏହି ଘଟଣା ଘଟିବା ପରେ ବେସାମରିକ ବିମାନ ଚଳାଚଳ ପ୍ରାଧୀକରଣ ତଦନ୍ତ ପାଇଁ ତିନିଜଣିଆ ଯାଞ୍ଚ କମିଟି ଗଠନ କରିଛି। ଏହା ସହ ଘଟଣା ଘଟିବା ସମୟରେ ‌କଣ୍ଟ୍ରୋଲ ରୁମରେ ଥିବା ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।