ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାରଣ ପାଇଁ ଦାବି
କେହି ସାହାଯ୍ୟ କଲେନି, ପୁଲିସ ୩୦ ମିନିଟ୍ ବିଳମ୍ବରେ ପହଞ୍ଚିଲା
ହାଇଦ୍ରାବାଦ : ହାଇଦ୍ରାବାଦ ଅନର୍ କିଲିଂ ଘଟଣାକୁ ନେଇ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଜଣେ ଦଳିତ ଯୁବକଙ୍କୁ ଅତି ନିର୍ମମ ଭାବେ ତାଙ୍କ ମୁସଲିମ୍ ପତ୍ନୀଙ୍କ ପରିବାର ସଦସ୍ୟଙ୍କ ଦ୍ବାରା ହତ୍ୟା କରାଯିବାକୁ ନେଇ ଉତ୍ତେଜନା ଲାଗି ରହିଛି। ଏହି ମାମଲାରେ ମହିଳାଙ୍କ ଭାଇ ସମେତ ୨ ଜଣ ଗିରଫ ହୋଇଛନ୍ତି। ହତ୍ୟାର ଶିକାର ହୋଇଥିବା ଦଳିତ ଯୁବକ ବି. ନାଗରାଜୁଙ୍କ ପାଇଁ ସ୍ଥାନୀୟ ଲୋକେ ନ୍ୟାୟ ଦାବି କରିଛନ୍ତି। ହତ୍ୟାର କିଛି ଘଣ୍ଟା ପରେ ଏଲ୍ପି ନଗର ଡିଭିଜନ୍ର ଏସିପି ପି ଶ୍ରୀଧର ରେଡ୍ଡି କହିଛନ୍ତି, ନାଗରାଜୁଙ୍କ ପତ୍ନୀଙ୍କ ଭାଇ ସୟଦ ମୋବିନ ଅହମଦ ଏବଂ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟଙ୍କୁ ଗିରଫ କରାଯାଇଛି। ଆଇପିସିର ଧାରା ୩୨୨ ଏବଂ ଏସ୍ସି/ଏସ୍ଟି ଆଇନ ଅଧୀନରେ ଏକ ମାମଲା ରୁଜୁ ହୋଇଛି।
ପୁଲିସ କହିଛି, ଏହି ମାମଲା ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାରଣ ପାଇଁ ଆବେଦନ କରାଯିବ ଏବଂ ଦୋଷୀକୁ ଖୁବ୍ ଶୀଘ୍ର ଦଣ୍ଡ ମିଳିବ। ଅନ୍ୟପକ୍ଷେ ନିଜ ଆଖି ସାମ୍ନାରେ ସ୍ବାମୀଙ୍କୁ ଅତି ନୃଶଂସ ହତ୍ୟା କରାଯାଉଥିବାର ଦୃଶ୍ୟ ଦେଖିଥିବା ଆଶ୍ରିନ ସୁଲତାନା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସୁଲତାନା କହିଛନ୍ତି, ଆକ୍ରମଣକାରୀମାନେ ତାଙ୍କ ସ୍ବାମୀଙ୍କୁ ଅନେକ ବାଟ ପର୍ଯ୍ୟନ୍ତ ଗୋଡ଼ାଇଥିଲେ। କିନ୍ତୁ କେହି ସହଯୋଗ କଲେନି। ପୁଲିସ ୩୦ ମିନିଟ୍ ପରେ ଆସିଲା। ସୁଲତାନା କହିଛନ୍ତି, ତାଙ୍କ ସ୍ବାମୀଙ୍କୁ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ନିସ୍ତୁକ ମାଡ଼ ମରାଯାଇଥିଲା। କୌଣସି ଜଣେ ହେଲେ ବି ବ୍ୟକ୍ତି ସହାୟତା ପାଇଁ ଆସିନଥିଲେ। ଆକ୍ରମଣକୁ ବର୍ଣ୍ଣନା କରିବାକୁ ଯାଇ ସୁଲତାନା କହିଛନ୍ତି, ସେ ଏବଂ ତାଙ୍କ ସ୍ବାମୀ ସ୍କୁଟିରେ ରାସ୍ତା ପାର୍ ହେଉଥିବାବେଳେ ସେମାନଙ୍କ ଉପରେ ୨ ଜଣ ବ୍ୟକ୍ତି ଆସି ଅଚାନକ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ନାଗରାଜୁଙ୍କୁ ଆଇରନ୍ ରଡ୍ରେ ପିଟିଥିଲେ ଏବଂ ତାଙ୍କୁ ଛୁରୀମାଡ଼ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା।