ନୂଆଦିଲ୍ଲୀ:  ନିର୍ବାଚନ କମିସନଙ୍କ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମର ଅତ୍ୟଧିକ ଚାପ ଯୋଗୁଁ ରାଜସ୍ଥାନ ଓ କେରଳରେ ଦୁଇଜଣ ବୁଥ୍‌ ସ୍ତରୀୟ ଅଫିସର (ବିଏଲ୍‌ଓ) ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ପରେ କେରଳରେ ବିଏଲ୍‌ଓମାନେ ଆଜି କାମ ବର୍ଜନ କରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିଛନ୍ତି। ସୂଚନାଯୋଗ୍ୟ, ରାଜସ୍ଥାନର ଜୟପୁର ଅଞ୍ଚଳର ଧର୍ମପୁରାର ୪୮ ବର୍ଷୀୟ ସରକାରୀ ଶିକ୍ଷକ ତଥା ବିଏଲ୍‌ଓ ମୁକେଶ କୁମାର ରବିବାର ସକାଳେ ଟ୍ରେନ୍‌ ସମ୍ମୁଖକୁ ଡେଇଁ   ଆତ୍ମହତ୍ୟା କରିଛନ୍ତି। ତାଙ୍କ ପକେଟରୁ ମିଳିଥିବା ଆତ୍ମହତ୍ୟା ଚିଠାରେ ସେ ଏସ୍‌ଆଇଆର୍‌ କାର୍ଯ୍ୟର ଅତ୍ୟଧିକ ଚାପ ଓ ଅଧିକାରୀଙ୍କ ନିଲମ୍ବନ ଧମକକୁ ଦାୟୀ କରିଛନ୍ତି। ପୁଲିସ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ସେହିଭଳି କେରଳର କନ୍ନୁର ଜିଲ୍ଲାରେ ଜଣେ ୪୪ ବର୍ଷୀୟ ସ୍କୁଲ କର୍ମଚାରୀ ଆନୀଶ ଜର୍ଜ ରବିବାର ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିବାର ଓ ପଡ଼ୋଶୀ  ଅଭିଯୋଗ କରିଛନ୍ତି ଯେ  ଦିନରାତି ଏସ୍‌ଆଇଆର୍‌ କାମ, ଅଧିକାରୀଙ୍କ ବାରମ୍ବାର ଫୋନ୍‌ ଓ ଟାର୍ଗେଟ ପୂରଣ ଚାପ ତାଙ୍କୁ ମାନସିକ ଭାବେ ଭାଙ୍ଗି ଦେଇଥିଲା। ଆନୀଶ ନିଜ ଵାର୍ଡରେ   ଫର୍ମ ବଣ୍ଟନ କରିସାରିଥିଲେ ମଧ୍ୟ ତାଙ୍କ ଉପରେ  ଚାପ କମିନଥିଲା ବୋଲି ଅଭିଯୋଗ ହୋଇଛି। ଆନୀଶଙ୍କ ମୃତ୍ୟୁ ପରେ କେରଳର ବିଭିନ୍ନ କର୍ମଚାରୀ ସଂଗଠନ ସୋମବାର ଏସ୍‌ଆଇଆର୍‌ କାମ ସମ୍ପୂର୍ଣ୍ଣ ବର୍ଜନ କରିଛନ୍ତି। ରାଜଧାନୀରୁ  ଆରମ୍ଭ କରି ସମସ୍ତ ଜିଲ୍ଲା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଗଠନଗୁଡ଼ିକ ଦାବି କରିଛନ୍ତି ଯେ ଏସ୍‌ଆଇଆର୍‌ ତୁରନ୍ତ ବନ୍ଦ କରାଯାଉ, ବିଏଲ୍‌ଓଙ୍କୁ ଅଧିକ ସମୟ ଦିଆଯାଉ ଏବଂ ମାନସିକ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦିଆଯାଉ। 

ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ୧୨ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏପର୍ଯ୍ୟନ୍ତ ୫୦.୯୭ କୋଟି ଭୋଟରଙ୍କ ମଧ୍ୟରୁ ୪୯.୭୩ କୋଟି (୯୭.୫୨%) ଭୋଟରଙ୍କୁ ଫର୍ମ ବଣ୍ଟନ ହୋଇସାରିଛି।