ତେଲ ଆଭିଭ: ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ୯/୧୧ ସହ ତୁଳନା କରାଯାଉଛି। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ପାଲେଷ୍ଟିନୀୟ ଆତଙ୍କବାଦୀ ମହମ୍ମଦ ଡିଫ୍, ଯିଏ ଏହି ଆକ୍ରମଣର ନାଁ ଦେଇଛି ‘ଅଲ ଅକ୍ସା ଫ୍ଲଡ୍’। ଜେରୁଜେଲମର ଅଲ ଅକ୍ସା ମସଜିଦ ଉପରେ ଇସ୍ରାଏଲ ଚଢ଼ଉର ପ୍ରତିଶୋଧ ନେବା ପାଇଁ ଏହି ଆକ୍ରମଣ କରାଯାଇଥିବା ହମାସ ଦ୍ବାରା ପ୍ରସାରିତ ଏକ ଅଡିଓ ଟେପ୍ରେ ଡିଫ କହୁଥିବା ଶୁଣାଯାଉଛି। ୨୦୨୧ ମେ ମାସରେ ମୁସଲମାନଙ୍କ ତୃତୀୟ ପବିତ୍ର ସ୍ଥାନ ଅଲ ଆକ୍ସା ମସଜିଦ ଉପରେ ଇସ୍ରାଏଲ ଚଢ଼ଉ କରିଥିଲା, ଯେଉଁଥିରେ ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ହମାସ ଦାବି କରିଛି। ଏହାକୁ ନେଇ ଆରବ ଓ ମୁସଲମାନ ଜଗତ କ୍ଷୁବ୍ଧ ହୋଇଥିଲା। ସେହିଦିନଠାରୁ ଏହାର ପ୍ରତିଶୋଧ ନେବା ପାଇଁ ଡିଫ୍ ଯୋଜନା କରି ଆସୁଥିଲା।
ପବିତ୍ର ରମଜାନ ସମୟରେ ଇସ୍ରାଏଲ ଅଲ ଆକ୍ସା ମସଜିଦ ଉପରେ ଆକ୍ରମଣ କରିଥିଲା। ମସଜିଦ ଭିତରେ ଉପାସନାରତ ମୁସଲମାନଙ୍କୁ ପିଟିଥିଲା, ବୟସ୍କ ଓ ଯୁବକ ମୁସଲମାନଙ୍କୁ ମସଜିଦ ଭିତରୁ ଘୋଷାରି ବାହାରକୁ ଆଣିଥିଲା। ଏହା ମହମ୍ମଦ ଡେଇଫ ଓ ଅନ୍ୟ ମୁସଲମାନଙ୍କ ଭିତରେ କ୍ରୋଧାଗ୍ନିକୁ ପ୍ରଜ୍ବଳିତ କରିଥିଲା। ସେତେବେଳେ ଏହାକୁ ନେଇ ଜେରୁଜେଲମରେ ଇସ୍ରାଏଲ ସେନା ଓ ହମାସ ଭିତରେ ୧୧ ଦିନ ଧରି ଯୁଦ୍ଧ ଚାଲିଥିଲା। ଏହାର ଦୁଇ ବର୍ଷ ପରେ ହମାସ ଇହୁଦୀଙ୍କ ପବିତ୍ର ପର୍ବ ସମୟରେ ହିଁ ଗତ ଶନିବାର ଇସ୍ରାଏଲ ଉପରେ ଆକ୍ରମଣ କରି ପ୍ରତିଶୋଧ ନେଇଛି।
ଡିଫକୁ ହତ୍ୟା କରିବାକୁ ଇସ୍ରାଏଲ ୭ ଥର ଉଦ୍ୟମ କରିଥିଲେ ମଧ୍ୟ ସେ ଖସିଯିବାରେ ସଫଳ ହୋଇଥିଲା ଏବଂ ସର୍ବସାଧାରଣରେ ଆତ୍ମପ୍ରକାଶ କରୁ ନ ଥିଲା। ସଦ୍ୟ ପ୍ରକାଶିତ ଅଡ଼ିଓ କ୍ଲିପ୍ରେ ଡିଫ୍ କହିଛି, ଆଜି ଅଲ ଆକ୍ସା ଆକ୍ରମଣର ଉପଯୁକ୍ତ ପ୍ରତିଶୋଧ ନିଆଯାଇଛି। ଏଥିରୁ ଇସ୍ରାଏଲ ନିଜ ଭୁଲ୍କୁ ହୃଦୟଙ୍ଗମ କରୁ। ବର୍ତ୍ତମାନ ଡିଫ୍ କେଉଁଠି ରହୁଛି ତାହା କେହି ଜାଣନ୍ତି ନାହିଁ। ତେବେ ସେ ଗାଜାରେ ଏକ ଜଟିଳ ସୁଡ଼ଙ୍ଗ ଭିତରେ ରହୁଥିବା ଅନୁମାନ କରାଯାଉଛି। ଇସ୍ରାଏଲୀ ସୁରକ୍ଷା ସଂସ୍ଥା ସୂତ୍ରରୁ ଜଣାପଡ଼ିଛି ଯେ ଶନିବାରର ଆକ୍ରମଣ ପଛରେ ମାଷ୍ଟରମାଇଣ୍ଡ ହେଉଛି ଡିଫ୍। ଏହି ଆକ୍ରମଣର ଯୋଜନା ପ୍ରସ୍ତୁତ କରିବାରେ ଦୁଇଟି ମୁଣ୍ଡ କାମ କରିଥିଲା। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛି ମାଷ୍ଟରମାଇଣ୍ଡ ଡିଫ୍, ଯିଏ ହମାସର ଅଲ କାସାମ ବ୍ରିଗେଡ୍ର କମାଣ୍ଡର ଓ ଅନ୍ୟ ଜଣେ ହେଉଛି ହମାସର ଗାଜା ମୁଖ୍ୟ ୟେହ୍ୟା ସିନୱାର। ତେବେ ଇସ୍ରାଏଲର ବିମାନ ଆକ୍ରମଣରେ ଡେଇଫର ବାପା ଓ ଭାଇ ଏବଂ ପରିବାରର ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।