ଗୁଟଖା ଛେପକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଜଣଙ୍କର ମୃତ୍ୟୁ

ଲଖନଉ: ଉତ୍ତରପ୍ରଦେଶର ହରଦୋଇରେ ଗୁଟଖା ଛେପ ପକାଇବା ଘଟଣାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ରକ୍ତାକ୍ତ ଝଗଡା ହୋଇଛି | ଆଉ ଏଥିରେ ଜଣେ ଭାଇଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି | ସୂଚନାନୁସାରେ, ପ୍ରଥମେ ଗୁଟଖା ଖାଇବା ପରେ ଛେପ ପକାଇବା ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା, କିନ୍ତୁ ପରେ ଉଭୟ ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରିଥିଲେ | ଦୁଇ ଭାଇଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ସାନ ଭାଇଙ୍କର ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଆହତ ହୋଇଥିଲେ।

ସୂଚନାନୁସାରେ, କୋଟୱାଲି ଅଞ୍ଚଳର ବାହୋଲି ଗାଁରେ ରହୁଥିବା ଦୁଇ ଭାଇ ଅଜୟ ସିଂ ଏବଂ ଅମର ସିଂଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଚାଲିଥିଲା | ଆଜି ଅମର ସିଂଙ୍କ ପରିବାର ଛାତ ଉପରେ ଥିଲେ। ଏହି ସମୟରେ କେହି ଜଣେ ଗୁଟଖା ଖାଇବା ପରେ ଛେପ ପକାଇଥିଲେ | ଯାହାକି ଅଜୟ ସିଂଙ୍କ ଘରେ ପଡିଥିଲା | ଆଉ ଏହି ଘଟଣା ପରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଉତ୍ତେଜନା ଏତେ ବଢିଯାଇଥିଲା ଯେ ଉଭୟ ଭାଇଙ୍କ ପରିବାର ପରସ୍ପରକୁ ବାଡି଼ରେ ଆକ୍ରମଣ କରିଥିଲେ |

ଉଭୟ ପକ୍ଷରୁ ହୋଇଥିବା ମାରପିଟରେ ବଡ଼ ଭାଇ ଅଜୟ ସିଂ ଏବଂ ତାଙ୍କ ପତ୍ନୀ ରତନଙ୍କ ସହ ଆଉ ୧୧ ଜଣ ଆହତ ହୋଇଥିଲେ। ତେବେ ଗ୍ରାମବାସୀ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଚିକିତ୍ସା ସମୟରେ ଅମର ସିଂଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର