କରାଚିର ଦାମୀ ରେସ୍ତୋରାଁରେ ଖାଇ ଦୁଇ ଭାଇ ମୃତ; ମାଆ ଡାକ୍ତରଖାନାରେ

ନୂଆଦିଲ୍ଲୀ: ରବିବାର ଅପରାହ୍ଣରେ ପାକିସ୍ତାନର କରାଚି ଠାରେ ଥିବା ଏକ ଦାମୀ ରେସ୍ତୋରାଁରେ ଖାଇବା ପରେ ଦୁଇ ଜଣ ନାବାଳଙ୍କ ମୃତ୍ୟୁ ହେବାରୁ ପୁଲିସ ତାହାକୁ ସିଲ୍‌ କରିଛି। ପାକିସ୍ତାନ ଗଣମାଧ୍ୟମ କହିବା ଅନୁସାରେ, ଖାଦ୍ୟ ବିଷକ୍ରିୟା କାରଣରୁ ଦୁଇ ନାବାଳକଙ୍କର ମାଆଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

କରାଚିର ଡିଫେନ୍‌ସ୍‌ ହାଉସିଙ୍ଗ୍‌ ଅଥରିଟି ଅଞ୍ଚଳରେ ଥିବା ଆରିଜୋନା ଗ୍ରିଲ୍‌ ରେସ୍ତୋରାଁ ଡିନର୍‌ ଖାଇବା ପରେ ସେମାନେ ଖାଦ୍ୟ ବିଷକ୍ରିୟା ହୋଇଥିବା ଅଭିଯୋଗ କରିଥିଲେ।

ଦୁଇ ନାବାଳକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ବି ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏବେ ମଧ୍ୟ ସେମାନଙ୍କର ମାଆ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ଅଛନ୍ତି।

ଦୁଇ ନାବାଳକଙ୍କ ଶବ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଡାକ୍ତରଖାନାକୁ ପଠା ଯାଇନାହିଁ। ତେଣୁ ଆନୁଷ୍ଠାନିକ ଭାବେ ମୃତ୍ୟୁର ବାସ୍ତବ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ରେସ୍ତୋରାଁ ବାହାରେ ପିଲା ଦୁହେଁ କ୍ୟାଣ୍ଡି ଖାଇଥିଲେ ଓ ଘରକୁ ଫେରିବା ପରେ ଦୁଗ୍ଧ ପିଇଥିଲେ। ରେସ୍ତୋରାଁ ଖାଦ୍ୟ, କ୍ୟାଣ୍ଡି କି, ଦୁଗ୍ଧ ଯୋଗୁଁ ଖାଦ୍ୟ ବିଷକ୍ରିୟା ହେଲା, ତାହା ଭଲ ଭାବେ ତଦନ୍ତ କରାଯିବା ଆବଶ୍ୟକ।

ସେମାନଙ୍କ ବାନ୍ତିର ନମୁନା ଏବଂ ପୋଷାକରେ ଲାଗିଥିବା ରକ୍ତ ଛିଟା ଫରେନ୍‌ସିକ୍‌ ପରୀକ୍ଷା ପାଇଁ ପଠାଯାଇଛି।

ରେସ୍ତୋରାଁ ବାହାରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର