ଗ୍ରେଟରନ ନଏଡ଼ା: ଶାହା ବେରି ଗାଁ’ରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଦୁଇଟି ନିର୍ମାଣଧୀନ କୋଠାଘର ଭୁଶୁଡ଼ି ପଡ଼ିବାରୁ ଅନ୍ୟୂନ ତିନି ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଭଗ୍ନସ୍ତପ ତଳେ ୫୦ରୁ ଅଧିକ ଚାପିହୋଇ ରହିଛନ୍ତି ବୋଲି ଆଶଙ୍କା କରାଯାଉଛି।
ଏ ପର୍ଯ୍ୟନ୍ତ ନେସ୍ନାଲ୍ ଡିଜାଷ୍ଟର୍ ରେସ୍ପନ୍ସ୍ ଫୋର୍ସ (ଏନ୍ଡିଆର୍ଏଫ୍) ତିନି ଜଣଙ୍କ ଶବ ଉଦ୍ଧାର କରିଛନ୍ତି। କୋଠା ଭୁଶୁଡ଼ିବା ସଂକ୍ରାନ୍ତରେ ନଏଡ଼ା ପୁଲିସ କେତେକ ଲୋକଙ୍କୁ ଗିରଫ କରିଛି ଏବଂ ଦୁଇ ନିର୍ମାଣାଧୀନ କୋଠାଘର ମାଲିକଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
ଏନ୍ଡିଆର୍ଏଫ୍ କମାଣ୍ଡାଣ୍ଟ୍ ପି କେ ଶ୍ରୀବାସ୍ତବ କହିଛନ୍ତି: ତିନି ଜଣଙ୍କ ଶବ ଉଦ୍ଧାର କରାଯାଇଛି। ଏନ୍ଡିଆର୍ଏଫ୍ର ଚାରିଟି ଦଳ ଓ ସନ୍ଧାନୀ କୁକୁର ସ୍କ୍ଵାଡ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। କୌଣସି ପୀଡ଼ିତଙ୍କ ବଞ୍ଚିଥିବା ଆଶ କ୍ଷୀଣ ବୋଲି ମନେକରାଯାଉଛି। ସବୁ ପୀଡ଼ିତ ଉଦ୍ଧାର ହେବା ଯାଏଁ ଉଦ୍ଧାର ଅଭିଯାନ ଚାଲୁ ରହିବ।
ଦମକଳ ବାହିନୀର ମୁଖ୍ୟ ଅଧିକାରୀ ଅରୁଣ କୁମାର ସିଂହ କହନ୍ତି: ଦୁର୍ଘଟଣା ସମୟରେ ସେଠାରେ ଅନ୍ୟୂନ ୨୦ ଜଣ ଶ୍ରମିକ ଥିଲେ। ସମସ୍ତେ ଭଗ୍ନସ୍ତପ ତଳେ ପୋତି ହୋଇ ଯାଇଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭୁଶୁଡ଼ି ପଡ଼ିଥିବା ଅଟ୍ଟାଳିକା ୨ ବର୍ଷ ତଳେ ତିଆରି ହୋଇଥିଲା ଏବଂ ଏଥିରେ ଥିବା ଅନେକ ଫ୍ଲାଟ୍ରେ କେହି ରହୁ ନ ଥିଲେ।