ନୂଆଦିଲ୍ଲୀ: ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ଅଥରିଟି (ନଏଡ଼ା)ରେ ସୁପରଟେକ୍ ଲିମିଟେଡ ପକ୍ଷରୁ ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ଦ୍ବୈତ ଅଟ୍ଟାଳିକାକୁ ରବିବାର ଅପରାହ୍ଣ ୨ଟା ୩୦ ମିନିଟରେ ଭଙ୍ଗାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଭଙ୍ଗାଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୯ ସେକେଣ୍ଡ ମଧ୍ୟରେ ଉକ୍ତ ଟାୱାର ଜଳପ୍ରପାତ ଭଳି ତଳକୁ ଖସିବ, ଯାହାକୁ ବିଶେଷଜ୍ଞଙ୍କ ଭାଷାରେ ୱାଟରଫଲ୍ ଇମ୍ପ୍ଲୋଜନ କୁହାଯାଉଛି। ଉକ୍ତ ଅଟ୍ଟାଳିକାଠାରୁ ମାତ୍ର ୯ ମିଟର ଦୂରରେ ପ୍ରାୟ ୫୦୦୦ ଲୋକ ବାସ କରୁଛନ୍ତି। ସେମାନଙ୍କର ଏଥିରେ ଯେଭଳି କୌଣସି କ୍ଷତି ନହେବ ସେଥିପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ମୁମ୍ବାଇର ଏଡିଫାଇସ ଇଞ୍ଜିନିୟରିଂ ଉକ୍ତ କୋଠାକୁ ଭାଙ୍ଗିବା ଦାୟିତ୍ବ ନେଇଛି।
୯୬୪୦ଟି ଗାତରେ ୩୭୦୦ କେଜି ବିସ୍ଫୋରକ
ଉକ୍ତ କୋଠାର ବିଭିନ୍ନ ମହଲାରେ ୯୬୪୦ଟି ଗାତ ଖୋଳାଯାଇଛି। ପ୍ରତ୍ୟେକ ଗାତର ଗଭୀରତା ୨.୬୪୩ ମିଲିମିଟର ରହିଛି। ୩୭୦୦ କିଲୋଗ୍ରାମରୁ ଅଧିକ ବିସ୍ଫୋରକ ଏସବୁ ଗାତରେ ରଖାଯାଇଛି। ଗୋଟିଏ ଲେଖାଏଁ ଗାତରେ ୨୫୦ ଗ୍ରାମରୁ ୧ କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ରହିଛି। ଅଟ୍ଟାଳିକା ଭଙ୍ଗାର ରେକର୍ଡିଂ ପାଇଁ ବିଭନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଛି। ଗାତରେ ବିସ୍ଫୋରକ ରଖିବା ଏବଂ ସେଗୁଡ଼ିକୁ ସଂଯୋଗ କରିବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ତେବେ କେବଳ ଅଟ୍ଟାଳିକାରୁ ଏକ ୧୦୦ ମିଟର କେବୁଲକୁ ବିସ୍ଫୋରକ ସହିତ ସଂଯୋଗ କରାଯିବା କାର୍ଯ୍ୟ ବାକି ରହିଛି। ଶେଷରେ ଉକ୍ତ କାର୍ଯ୍ୟ କରାଯିବା ପରେ ବିସ୍ଫୋରଣ ପାଇଁ ଥିବା ସୁଇଚ ଦବାଯିବ। ପୁଲିସ ଅନୁମତି ମିଳିବା ପରେ ବିସ୍ଫୋରଣ କାର୍ଯ୍ୟରେ ନିୟୋଜିତ କମ୍ପାନିର କର୍ମଚାରୀମାନେ ଉକ୍ତ କାର୍ଯ୍ୟ ସଂପାଦନ କରିବେ। ଏହି ବିଶାଳ ଅଟ୍ଟାଳିକା ମାଟିରେ ମିଶିବା ସମୟରେ ସେହି ଅଞ୍ଚଳରେ ବହୁମାତ୍ରାରେ ଧୂଳି ଉଡ଼ିବ। ତାହାକୁ ନିୟନ୍ତ୍ରଣ କରିବା ଏବଂ ତାହାର ପ୍ରଭାବ ଯେଭଳି କମ୍ ବ୍ୟାପିବ ସେଥିପାଇଁ ସଫେଇ ମେସିନ, ଆଣ୍ଟି ସ୍ମଗ୍ ଗନ ଏବଂ ପାଣି ସିଞ୍ଚନ ଯନ୍ତ୍ର ଆଦି ରଖାଯାଇଛି। ଏଥିସହିତ ଆଖପାଖରେ ଥିବା ଅଟ୍ଟାଳିକାକୁ ଘୋଡ଼ାଇ ରଖାଯାଇଛି।
୨୦୨୦ରେ କୋଚିରେ ଭାଙ୍ଗିଥିଲା
ପୂର୍ବରୁ ମୁମ୍ବାଇର ଏଡିଫାଇସ୍ ଇଞ୍ଜିନିୟରିଂ କମ୍ପାନି ୨୦୨୦ ମସିହାରେ କୋଚିରେ ୪ଟି ଉଚ୍ଚ ଅଟ୍ଟାଳିକାକୁ ଭାଙ୍ଗିଥିଲା। ଉପକୂଳ ସୁରକ୍ଷା ଜୋନ୍ ନିୟମ ଉଲ୍ଲଂଘନ କରାଯାଇ ସେହି ଉଚ୍ଚ ଅଟ୍ଟାଳିକା ନିର୍ମାଣ ହୋଇଥିବାରୁ ତାହା ଭଙ୍ଗାଯାଇଥିଲା। ତେଣୁ ନଏଡାର ଦ୍ବୈତ ଅଟ୍ଟାଳିକା ମଧ୍ୟ ଠିକ୍ରେ ଭାଙ୍ଗିବ ବୋଲି କମ୍ପାନିର ଅଧିକାରୀମାନେ ଦୃଢ଼ ଆଶବାଦୀ ଅଛନ୍ତି। ଏଥିପାଇଁ ଏଡିଫାଇସ ଇଞ୍ଜିନିୟରିଂ ଦକ୍ଷିଣ ଆଫ୍ରିକାର ଜେଟ୍ କମ୍ପାନିର ସହାୟତା ନେଇଛି।
ନିର୍ମାଣ ପାଇଁ ୭୦ କୋଟି, ଭାଙ୍ଗିବାକୁ ୨୦ କୋଟି ଖର୍ଚ୍ଚ
ନଏଡ଼ାର ସେକ୍ଟର ୯୩-ଏରେ ଥିବା ସୁପରଟେକ୍ର ଦୁଇଟି ଯାକ ଅଟ୍ଟାଳିକାରେ ମୋଟ ୭.୫ ଲକ୍ଷ ବର୍ଗଫୁଟର ନିର୍ମାଣ ହୋଇଛି। ଆପେକ୍ସ ଅଟ୍ଟାଳିକାର ଉଚ୍ଚତା ୧୦୩ ମିଟର ହୋଇଥିବାବେଳେ ସିୟେନ ଅଟ୍ଟାଳିକାର ଉଚ୍ଚତା ୯୭ ମିଟର। ପ୍ରକଳ୍ପ ନିର୍ମାଣ ପାଇଁ ବର୍ଗଫୁଟ୍ ପିଛା ୯୩୩ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ତେଣୁ ଦ୍ବୈତ ଅଟ୍ଟାଳିକାର ନିର୍ମାଣ ଖର୍ଚ୍ଚ ୭୦ କୋଟି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଏହାକୁ ଭାଙ୍ଗିବା ପାଇଁ ୨୦ କୋଟି ଟଙ୍କା ବ୍ୟୟ ହେବ। ଏଥିରୁ ପ୍ରାୟ ୫ କୋଟି ଟଙ୍କା ସୁପରଟେକ୍ ପ୍ରଦାନ କରିବ। ଅବଶିଷ୍ଟ ୧୫ କୋଟି ଟଙ୍କା ଲୁହା ଓ ଡେବ୍ରିସ ବିକ୍ରିରୁ ସଂଗ୍ରହ କରାଯିବ।
୯୧୫ ଫ୍ଲାଟରୁ ୬୩୩ଟି ବୁକ୍ ହୋଇଥିଲା
ଦୁଇଟି ଯାକ ଅଟ୍ଟାଳିକାରେ ମୋଟ ୯୧୫ଟି ଫ୍ଲାଟ ରହିଛି। ସୁପରଟେକର ଏମରାଲ୍ଡ କୋର୍ଟ ପ୍ରକଳ୍ପରେ ଗୋଟିଏ ୩ ବିଏଚକେ ଆପାର୍ଟମେଣ୍ଟର ମୂଲ୍ୟ ୧.୧୩ କୋଟି। ୯୧୫ଟି ବାବଦରେ କମ୍ପାନି ପାଖାପାଖି ୧୨୦୦ କୋଟି ଟଙ୍କା ପାଇଥାନ୍ତା। ୯୧୫ଟି ଫ୍ଲାଟ ମଧ୍ୟରୁ ୬୩୩ଟି ବୁକ୍ ହୋଇ ସାରିଥିଲା। କମ୍ପାନି ଏ ବାବଦରେ ୧୮୦ କୋଟି ଟଙ୍କା ସଂଗ୍ରହ କରିଥିଲା। କିନ୍ତୁ ସୁପରଟେକ ଏବେ ଗ୍ରାହକମାନଙ୍କୁ ୧୨ ପ୍ରତିଶତ ସୁଧ ସହ ସେମାନଙ୍କ ଅର୍ଥ ଫେରସ୍ତ କରିବ।
୭ ମାସର ପ୍ରସ୍ତୁତି
ନଏଡାର ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ଏଡିଫାଇସ୍ ଇଞ୍ଜିନିୟରିଂ ୭ ମାସର କସରତ କରିଛି। ଗୋଟିଏ ମାସ କେବଳ ପ୍ଲାନିଂରେ ଯାଇଥିବାବେଳେ ଅବଶିଷ୍ଟ ୬ ମାସ ଅଟ୍ଟାଳିକାରେ ବିସ୍ଫୋରକ ଖଞ୍ଜିବା ଓ ଅନ୍ୟାନ୍ୟ କାର୍ଯ୍ୟ ହୋଇଛି ବୋଲି ଏଡିଫାଇସ୍ ଇଞ୍ଜିନିୟରିଂର ସିଇଓ ଉତ୍କର୍ଷ ମେହେଟ୍ଟା କହିଛନ୍ତି।
ଦତ୍ତ ଦବାଇବେ ସୁଇଚ୍
ଉକ୍ତ ଟାୱାର ପାଇଁ ବିସ୍ଫୋରକ ଯୋଗାଇଥିବା କମ୍ପାନି ହରିୟାଣାର। ତେଣୁ ଉକ୍ତ କମ୍ପାନିର ଚେତନ ଦତ୍ତଙ୍କ ହାତରେ ମଧ୍ୟ ବିସ୍ଫୋରଣ କାର୍ଯ୍ୟ ସଂପାଦନ ହେବ। ସେ ଗ୍ରିନ୍ ବଟନକୁ ଦବାଇବେ। ଏଡିଫାଇସ ଇଞ୍ଜିନିୟରିଂ ପକ୍ଷରୁ ତାଙ୍କୁ ଉକ୍ତ ଦାୟିତ୍ବ ଦିଆଯାଇଛି। ସେଠାରେ ଗୋଟିଏ ବ୍ଲାକ ବକ୍ସ ମଧ୍ୟ ରହିଛି। ସେହି ବ୍ଲାକ ବକ୍ସଟି ହେଉଛି ଡାଇନାମୋ। ସେଥିରେ ଦୁଇଟି ତାର ଲଗାଯାଇଛି ଏବଂ ତାରଦ୍ବୟକୁ ଡିଟୋନେଟର ସହ ସଂଯୋଗ କରାଯାଇଛି। ଡାଇନାମୋକୁ ଚଳାଇବା ପାଇଁ ଶ୍ରୀ ଦତ୍ତ ସେଥିରେ ଲାଗିଥିବା ହ୍ୟାଣ୍ଡେଲକୁ ୧୦ରୁ ୧୫ ଥର ଘୂରାଇବେ। ଏହାପରେ ବିସ୍ଫୋରଣ ଆରମ୍ଭ ହେବ।
୧୦୦ ମିଟର ନିଷିଦ୍ଧାଞ୍ଚଳ
ଦୁଇଟି ଯାକ ଅଟ୍ଟାଳିକା ଚାରିପଟେ ୧୦୦ ମିଟରକୁ ନିଷିଦ୍ଧାଞ୍ଚଳ କରାଯାଇଛି। ଏହା ଅଞ୍ଚଳ ବାହାରେ କେବଳ ୬ ଜଣ ଲୋକଙ୍କୁ ରହିବା ପାଇଁ ଅନୁମତି ଦିଆଯିବ ବୋଲି ଡିଜାଇନ ପ୍ରସ୍ତୁତ କରିଥିବା ଦକ୍ଷିଣ ଆଫ୍ରିକୀୟ କମ୍ପାନି ଜେଟ୍ ଡିମୋଲିସନର ନିର୍ଦ୍ଦେଶକ ଜୋ ବ୍ଲିଙ୍କମ୍ୟାନ କହିଛନ୍ତି। ବ୍ଲିଙ୍କମ୍ୟାନ ଓ ତାଙ୍କ କମ୍ପାନିର ୨ ଜଣ ବିଶେଷଜ୍ଞ, ଏଡିଫାଇସ ଇଞ୍ଜିନିୟରିଂର ଜଣେ ଅଧିକାରୀ, ଜଣେ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଶ୍ରୀ ଦତ୍ତ ସେଠାରେ ଉପସ୍ଥିତ ରହି କାର୍ଯ୍ୟ ସଂପାଦନ କରିବେ।