ନୂଆଦିଲ୍ଲୀ : ଭାରତରେ ଦୁଇଟି ଓମିକ୍ରନ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ସାରାଦେଶରେ ଆତଙ୍କ ଖେଳିଯାଇଛି । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ.ଭି.କେ.ପଲ କହିଛନ୍ତି ଯେ ଓମିକ୍ରନ୍ ଭାରିଆଣ୍ଟ୍ ଉପରେ ସତର୍କତାର ସହିତ ପରୀକ୍ଷା ନିରୀକ୍ଷା କରାଯାଉଛି । ଆମର ବୈଜ୍ଞାନିକ ଓ ବୈଷୟିକ ପରାମର୍ଶଦାତା କମିଟି ସହ ଏହି ପରିସ୍ଥିତି ସମ୍ପର୍କରେ ଆଲୋଚନା ଚାଲିଛି ଓ କମିଟିର ପରାମର୍ଶ ଅନୁସାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ  ଲୋକମାନେ ଯଥାଶୀଘ୍ର ଦୁଇଟି ଡୋଜ୍ ଟିକା ନେଇଯିବା ଆବଶ୍ୟକ । ଏଥିରେ ବିଳମ୍ବ ହେବା ଉଚିତ ନୁହେଁ ।

Advertisment

ଅନ୍ୟପକ୍ଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି ଯେ, ରାଜ୍ୟ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ଆବଶ୍ୟକ ପଡ଼ିଲେ ନୂଆ କଟକଣା ଜାରି କରାଯିବ ।

ସୂଚନାଯୋଗ୍ୟ ଯେ ଆଜି କର୍ଣ୍ଣାଟକରେ ଦୁଇ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ୬୬ ବର୍ଷ ଓ ୪୬ ବର୍ଷ ବୟସ୍କ ଦୁଇଜଣ ପୁରୁଷଙ୍କ ଶରୀରରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି । ତେବେ ସଂକ୍ରମିତ ବ୍ୟକ୍ତି ଦ୍ବୟ କେଉଁ ଦେଶରୁ ଆସିଥିଲେ ଓ ସେମାନେ ଟିକା ନେଇଛନ୍ତି କି ନା ସେ ସମ୍ପର୍କରେ ସେ ସୂଚନା ଦେବାକୁ ମନା କରିଦେଇଛନ୍ତି ।