ରାଷ୍ଟ୍ରପତି ଭବନରେ ମଧ୍ୟ ଘଟିଛି ୨ଟି ଯୌନ ନିର୍ଯାତନା ଓ ଉତ୍ପୀଡ଼ନ ମାମଲା, ଏଥି ମଧ୍ୟରୁ ଗୋଟିଏ ମିଛ ମାମଲା ଥିବା ବେଳେ ଅନ୍ୟଟି ସତ

ନୂଆଦିଲ୍ଲୀ: ଖୋଦ୍‌ ରାଷ୍ଟ୍ରପତି ଭବନ ମଧ୍ୟ ଯୌନ ନିର୍ଯାତନା ଓ ଯୌନ ଉତ୍ପୀଡ଼ନ ଅଭିଯୋଗରୁ ମୁକ୍ତ ନୁହେଁ। ଦେଶରେ ଗତ ୨୦୧୩ ମସିହା ଠାରୁ କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଓ ଯୌନ ନିର୍ଯାତନା ବିରୋଧୀ ଆଇନ୍‌ ପ୍ରଚଳନ ହେବା ପରଠାରୁ ଦେଶର ରାଷ୍ଟ୍ରପତି ଭବନରେ ଦୁଇଟି ଯୌନ ଉତ୍ପୀଡ଼ନ ଓ ଯୌନ ନିର୍ଯାତନା ମାମଲାର ଅଭିଯୋଗ ହୋଇଥିବା, ସୂଚନା ଅଧିକାର ଆଇନ୍‌ ବଳରେ ମଗାଯାଇଥିବା ଏକ ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି।

ସୂଚନା ଅଧିକାର ତଥା ସାମାଜିକ କର୍ମୀ ନୂତନ ଠାକୁର ସୂଚନା ଅଧିକାର ଆଇନ୍‌ ବଳରେ ମାଗିଥିବା ଏକ ତଥ୍ୟର ଉତ୍ତର ଦେବାକୁ ଯାଇ ରାଷ୍ଟ୍ରପତି ଭବନର ଉପସଚିବ ଜେଜି ସୁବ୍ରମଣ୍ୟମ୍‌ ଗତ ୯ ତାରିଖରେ ଲିଖିତ ଭାବେ ଜଣାଇଛନ୍ତି ଯେ ରାଷ୍ଟ୍ରପତି ଭବନରେ ଦୁଇଟି ଯୌନ ଉତ୍ପୀଡ଼ନ ଓ ଯୌନ ନିର୍ଯାତନା ମାମଲାର ଅଭିଯୋଗ ଆସିଥିଲା। ଏବଂ ଦୁଇଟି ଯାକ ଅଭିଯୋଗ ଉପରେ ବିଧିବଦ୍ଧ ତଦନ୍ତ ମଧ୍ୟ କରା ଯାଇଥିଲା। ଏଥି ମଧ୍ୟରୁ ଗୋଟିଏ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଥିବା ବେଳେ ଅନ୍ୟ ମାମଲାଟିରେ ଅଭିଯୁକ୍ତ ଜଣଙ୍କ ଦୋଷୀ ଥିବା ଜଣା ପଡ଼ିଥିଲା ବୋଲି ନିଜ ଲିଖିତ ଉତ୍ତରରେ ସ୍ୱୀକାର କରିଛନ୍ତି ରାଷ୍ଟ୍ରପତି ଭବନର ଉପସଚିବ ଜେଜି ସୁବ୍ରମଣ୍ୟମ୍‌। ତେବେ, ଏହି ମାମଲାରେ ଅଭିଯୋଗକାରୀ ଏବଂ ଅଭିଯୁକ୍ତଙ୍କ ନାମ ସର୍ବସାଧାରଣରେ ଘୋଷଣା ଏକ ଦଣ୍ଡନୀୟ ଅପରାଧ ହୋଇଥିବା ଦର୍ଶାଇ ସେ ଏହି ମାମଲାରେ ଅଭିଯୋଗକାରୀ ଏବଂ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର