ବିପଦରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଚୌକି

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ମହମ୍ମଦ ହିଫ୍‌ଜୁର ‌ରହେମାନ୍
ଚାଷୀ ଆନ୍ଦୋଳନ ଏବଂ ଏହାକୁ ନେଇ ଟ୍ବିଟର୍‌ ସହିତ ମୁକାବିଲାମୂଳକ ପରିସ୍ଥିତି ଗଣମାଧ୍ୟମରେ ଛାଇ ରହିଥିବା ବେଳେ କିଛି ଚାଞ୍ଚଲ୍ୟକର ରାଜନୀତି ଖବର ଲୁଚିଯାଇଛି। ଏହି ଖବରଟି ଆସୁଛି ବିହାର ଏବଂ ତାମିଲନାଡ଼ୁରୁ। ଆସନ୍ତା ତିନି ମାସ ଭିତରେ ଯେଉଁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ସେଥିରେ ପ୍ରମୁଖ ରହିଛି ପଶ୍ଚିମ ବଙ୍ଗ ଏବଂ ତାମିଲନାଡୁ। ପଶ୍ଚିମ ବଙ୍ଗରେ ନିର୍ବାଚନ ବାତାବରଣ ଜୋର ଧରି ସାରିଲାଣି। ରାଜ୍ୟରେ ବିଜେପି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ତାମିଲନାଡୁରେ ମଧ୍ୟ ବ‌ାତାବରଣ ସରଗରମ ହେବାକୁ ଲାଗିଛି। କିନ୍ତୁ ଭିନ୍ନ କାରଣରୁ। ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି ୧୦ ବର୍ଷ ଧରି କ୍ଷମତାରେ ଥିବା ଆନ୍ନାଡିଏମ୍‌କେ ଭିତରେ କନ୍ଦଳ ସେତେକି ବିସ୍ଫୋରକ ହେବାକୁ ଲାଗିଛି। ଏଥିିରେ ଗୋଟିଏ ପଟେ ରହିଛନ୍ତି ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ଏବଂ ଅନ୍ୟପଟେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ପନ୍ନିରସିଲଭମ୍। ଜୟଲଳିତାଙ୍କ ପରଲୋକ ପରେ ପ୍ରଥମ ଥର ଲାଗି ନିର୍ବାଚନ ହେବାକୁ ଯାଉଥିବା ନିର୍ବାଚନ ବେଳେ ଆନ୍ନାଡିଏମକେ ଭିତରେ ଏଭଳି କଳି ଦଳରେ ବଡ଼ ଧରଣର ଫାଟ ସୃଷ୍ଟି କଲାଣି।

ବିବାଦ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ପଦକୁ ନେଇ। ଆସନ୍ତା ନିର୍ବାଚନରେ ପଲାନିସ୍ବାମୀ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପସ୍ଥାପନ କରିବାକୁ ଯୋଜନା କରୁଥିବା ବେଳେ ଏହାର ବିରୋଧ କରୁଛନ୍ତି ପନ୍ନିରସିଲଭମ। ପନ୍ନିରସିଲଭମଙ୍କ ଯୁକ୍ତି ହେଉଛି ‌େଯ ମୁଖ୍ୟମନ୍ତ୍ରୀ ହେବାକୁ ‌େସ ନିଜେ ହେଉଛନ୍ତି ଯୋଗ୍ୟ ବ୍ୟକ୍ତି। ଜୟଲଳିତା ତାଙ୍କୁ ପସନ୍ଦ କରି ଅନେକ ଥର ଏହି ଦାୟିତ୍ବ ଦେଇଥିଲେ। ତେଣୁ ତାଙ୍କୁ ହିଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଉ। କିନ୍ତୁ ପଲାନିସ୍ବାମୀ ଏବଂ ତାଙ୍କର ଗୋଷ୍ଠୀ ଏଥିରେ ରାଜି ହେଉନାହାନ୍ତି। ଯାହାକୁ ନେଇ ଦଳ ଭିତରେ ଝଗଡ଼ା ଜୋର ଧରିଲାଣି। ଏପରିକି କିଛି ଦିନ ଧରି ଦଳର ବିଭିନ୍ନ ବୈଠକରେ ଏହାକୁ ନେଇ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିବାର ଖବର ମିଳିଛି। ଏଭଳି ପରିସ୍ଥିତି ଭିତରେ ଜୟଲଳିତାଙ୍କ ବାନ୍ଧବୀ ଶଶିକଳାଙ୍କ ତାମିଲନାଡୁ ରାଜନୀତିରେ ପ୍ରବେଶକୁ ନେଇ ଉଭୟ‌ ଗୋଷ୍ଠୀ ଆତଙ୍କିତ ହୋଇପଡ଼ିଲେଣି। ଶଶିକଳା ଜେଲ ଯିବା ‌ପରେ ତାଙ୍କ ଦ୍ବାରା ମନୋନୀତ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀଙ୍କ ହାତରେ ରହିଛି ଆନ୍ନାଡିଏମକେର କ୍ଷମତା ଡୋରି। ପରିବର୍ତିତ ପରିସ୍ଥିତିରେ ପଲାନିସ୍ବାମୀ ଦଳରୁ ଶଶିକଳାଙ୍କୁ ବହିଷ୍କାର କରିଛନ୍ତି। ଉଭୟ ପଲାନିସ୍ବାମୀ ଏବଂ ପନ୍ନିରସିଲଭମ୍ ଶଶିକଳାଙ୍କୁ ବିରୋଧ କରୁଛନ୍ତି। କିନ୍ତୁ ଆନ୍ନାଡିଏମକେରେ ଏବେ ବି ଶଶିକଳାଙ୍କ ଲୋକପ୍ରିୟତା ଥିବାରୁ ସେମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବେଙ୍ଗାଲୁରୁ ଜେଲରୁ ମୁକ୍ତ ହୋଇ ତାମିଲନାଡ଼ୁକୁ ଫେରିବା ପରେ ତାଙ୍କୁ ଯେଉଁଭଳି ସମ୍ବର୍ଧନା ମିଳିଲା ତାହା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏହାକୁ ନେଇ ପନ୍ନିରସିଲଭମଙ୍କ ଅପେକ୍ଷା ପଲାନିସ୍ବାମୀ ଅଧିକ ଚିନ୍ତାରେ ପଡ଼ିଯାଇଛନ୍ତି। ନିର୍ବାଚନ ପୂର୍ବରୁ କାଳେ ମୁଖ୍ୟମନ୍ତ୍ରୀ ପଦ ଚାଲିଯିବ ବୋଲି ଚିନ୍ତାରେ ପଡ଼ିଯାଇଛନ୍ତି ପଲାନିସ୍ବାମୀ। କାରଣ ଦଳର ଅନେକ ବିଧାୟକ ଶଶିକଳାଙ୍କୁ ଏବେ ବି ସମର୍ଥନ କରୁଥିବାର ଖବର ମିଳିଛି। ଶଶିକଳାଙ୍କ ସହ ମିଶି ସେମାନେ ଓଲଟପାଟ କରିପାରନ୍ତି।

ନିଜ ଚୌକିକୁ ନେଇ ଅନିଶ୍ଚିତ ଅବସ୍ଥାରେ ଥିବା ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିହାରର ନୀତୀଶ କୁମାର। ଗତ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଜେଡିୟୁର ଶୋଚନୀୟ ପ୍ରଦର୍ଶନ ସତ୍ତ୍ବେ ସେ ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି। ତାଙ୍କର ସହଯୋଗୀ ବିଜେପି ଅଧିକ ଆସନ ପାଇଥିଲେ ମଧ୍ୟ ପୂର୍ବ ପ୍ରତିଶ୍ରୁତି ମୁତାବକ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ନୀତୀଶ ମୁଖ୍ୟମନ୍ତ୍ରୀ ଅଛନ୍ତି ସତ, କିନ୍ତୁ କ୍ଷମତା ରହିଛି ବିଜେପି ହାତରେ। ଏହାକୁ ନେଇ ନୀତୀଶ ଅସନ୍ତୁଷ୍ଟ। କିନ୍ତୁ ଅସହାୟ। ସେ ଜାଣିଗଲେଣି ‌େଯ ତାଙ୍କର ମୁଖ୍ୟମନ୍ତ୍ରୀ ଚୌକିଟି ସୁରକ୍ଷିତ ନୁହେଁ। ‌େଯକୌଣସି ମୁହୂର୍ତରେ ଏହି ପଦି ଯାଇପାରେ। କିଛି ଦିନ ତଳେ ଏକ ସଭାରେ ସେ ନିଜେ ଏଭଳି ଆଶଙ୍କା ବ୍ୟକ୍ତ କରିଥିଲେ। କହିଥିଲେ ଯେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରି ଠାକୁରଙ୍କ ଦଶ‌ା ତାଙ୍କୁ ‌େଭାଗିବାକୁ ପଡ଼ିପାରେ। କାର୍ଯ୍ୟକାଳ ମଧ୍ୟରେ ଯେମିତି ଠାକୁରଙ୍କୁ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ କରାଯାଇଥିଲା, ସେହିଭଳି ଢଙ୍ଗରେ ତାଙ୍କୁ ମଧ୍ୟ ବିଦା କରାଯାଇପାରେ। ତେବେ ପାଟନାରୁ ମିଳୁଥିବା କେତେକ ରିପୋର୍ଟ ଅନୁଯାୟୀ ନୀତୀଶଙ୍କ ଜେଡିୟୁରେ ଅସନ୍ତୋଷ ବଢ଼ୁଛି। କେତେକ ଅସନ୍ତୁଷ୍ଟ ବିଧାୟକ ଲାଲୁଙ୍କ ଆରଜେଡି ସହ ଗୁପ୍ତ କଥାବାର୍ତା ଚଳାଇଛନ୍ତି। ସେମାନେ ସେହି ଦଳକୁ ଯାଇପାରନ୍ତି। କିଛି ବିଧାୟକ ବିଜେପି ସହ ମଧ୍ୟ ସଂପର୍କରେ ଅଛନ୍ତି। ତେଣୁ ଅଳ୍ପ ବହୁମତରେ ସରକାର ଗଠନ କରିଥିବା ନୀତୀଶ ସରକାର ଘୋର ଅନିଶ୍ଚିତତାରେ ରହିଛି। ଏହି ବର୍ଷ କିଛି ବି ଘଟିପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର