ଦିଲ୍ଲୀରେ ଚାରି ମହଲା କୋଠା ଭୁଶୁଡ଼ି ଦୁଇ ଶିଶୁ ମୃତ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ପରିବା ବଜାର ଅଞ୍ଚଳରେ ଆଜି ଏକ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। କୋଠା ଭୁଶୁଡ଼ିବା ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କୋଠାର ଭଗ୍ନସ୍ତୂପ ତଳୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରେ ଦୁଇ ଶିଶୁଙ୍କର ମୁତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଆଜି ପୂର୍ବାହ୍ନ ୧୧ଟାରେ ରବିନ୍‌ ସିନେମା ହଲ୍‌ ସମ୍ମୁଖରେ ଥିବା ପରିବା ବଜାରର ଚାରି ମହଲା ବିଶିଷ୍ଟ କୋଠାଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ସେହି ସମୟରେ ସେହି ବାଟ ଦେଇ ଯାଉଥିବା କିଛି ଲୋକ ଭଙ୍ଗାଅଂଶ ତଳେ ଚାପି ହୋଇ ଯାଇଥିଲେ।

ଏକ କାର୍‌ ମଧ୍ୟ ତଳେ ରହି ଯାଇଥିଲା। ଖବର ପାଇ ଦମକଳ ବିଭାଗର ୭ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଭଙ୍ଗା କୋଠାତଳେ ଆଉ କେତେକ ଚାପି ହୋଇ ଯାଇଥିବା ସ୍ଥାନୀୟ ଲୋକେ କହୁଥିବାବେଳେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଏହାକୁ ଖଣ୍ଡନ କରିଛନ୍ତି। ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି। କେଉଁ କାରଣରୁ କୋଠାଟି ଭୁଶୁଡ଼ିଲା ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ବିଟ୍‌ କରି କହିଛନ୍ତି, ପରିବା ବଜାର ଅଞ୍ଚଳରେ ଘଟିଥିବା ଏହି ଅଘଟଣ ଅତ୍ୟନ୍ତ ଦୁଃଖଦାୟକ। ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଜିଲ୍ଲା ପ୍ରଶାସନ ଜରିଆରେ ସ୍ଥିତି ଉପରେ ନଜର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟରରେ କହିଛନ୍ତି।

ସମ୍ବନ୍ଧିତ ଖବର