ପୁଣି କରୋନା ସଂକ୍ରମିତ ହେଲେ ୬ ମାସ ତଳେ ସୁସ୍ଥ ହୋଇଥିବା ଚୀନର ଦୁଇ ବ୍ୟକ୍ତି

ବେଜିଂ : ଚୀନରେ ଦୁଇଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ତେବେ କେତେକ ଦୃଷ୍ଟିରୁ ଏହି ଦୁଇଟି ନୂଆ ସଂକ୍ରମଣ ମାମଲାକୁ ବେଶ ଗୁରୁତ୍ୱ ଦିଆଯାଉଛି ଓ ଚିନ୍ତା ମଧ୍ୟ ପ୍ରକଟ କରାଯାଉଛି । କାରଣ ଯେଉଁ ଦୁଇଜଣ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି, ସେମାନେ କିଛିମାସ ତଳେ ସଂକ୍ରମିତ ହୋଇ ଆରୋଗ୍ୟଲାଭ କରିଥିଲେ । ଏହା ଦ୍ୱାରା ସଂଦେହ କରାଯାଉଛି ଯେ ଏହି ଭୁତାଣୁ ପୁଣି ଥରେ ଆରୋଗ୍ୟ ହୋଇଯାଇଥିବା ଲୋକଙ୍କୁ ଆକ୍ରାନ୍ତ କରୁଛି ।

ମିଳିଥିବା ସୂଚନା ଅନୁସାରେ କରୋନା ଭାଇରସର ଉତ୍ପତ୍ତିସ୍ଥଳ ଉହାନରେ ଜଣେ ୬୮ ବର୍ଷୀୟ ମହିଳା ପୁଣି ଥରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୬ ମାସ ତଳେ ସେ କରୋନା ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଥିଲେ ଓ ତାଙ୍କ ନମୁନା ନେଗେଟିଭ ବାହାରିଥିଲା । ସେହିପରି ଆଉ ଜଣେ ବ୍ୟକ୍ତି, ଯିଏକି ଗତ ଏପ୍ରିଲ ମାସରେ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ, ପୁଣି ଥରେ ସଂକ୍ରମିତ ହୋଇଛନ୍ତି ।

ପୂର୍ବରୁ କରୋନା ସଂକ୍ରମିତ ହୋଇ ଆରୋଗ୍ୟ ହେବା ପରେ ପୁଣି ଥରେ ସଂକ୍ରମିତ ହେବା ସାରା ବିଶ୍ୱର ଗବେଷକମାନଙ୍କୁ ଚିନ୍ତିତ କରିଛି । କାରଣ ଏହା ଦ୍ୱାରା କରୋନା ମହାମାରୀର ଏକ ଦ୍ୱିତୀୟ ଲହରୀ ଆସିବାର ଆଶଙ୍କା ବଢିଯାଇଛି । ତେବେ ଏ ସଂପର୍କରେ ଅଧିକ ଗବେଷଣା ଜାରି ରହିଛି ।

ସମ୍ବନ୍ଧିତ ଖବର