ଅଡିଓ ଟେପ୍‌ ଆଧାରରେ ୨ ବିଧାୟକ କଂଗ୍ରେସରୁ ବହିଷ୍କୃତ

କେନ୍ଦ୍ର ମନ୍ତ୍ରୀ ଶେଖାୱତ୍‌ଙ୍କ ଗିରଫ ଦାବି

ନୂଆଦିଲ୍ଲୀ: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଆଜି କଂଗ୍ରେସ ଦୁଇଟି ନୂଆ ଅଡିଓ ଟେପ୍‌କୁ ଆଧାର କରି ୨ ଜଣ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି ଏବଂ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌ଙ୍କ ଗିରଫ ଦାବି କରିଛି। ଗେହଲଟ୍‌ ସରକାର ଭାଙ୍ଗିବାପାଇଁ ହୋଇଥିବା ଷଡ଼ଯନ୍ତ୍ର ଏବଂ କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ଅଡିଓ ଟେପ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ବେଳେ କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଯେବାଲା ଏହି ଅଡିଓ ଟେପ୍‌ରେ ଯାହା କୁହାଯାଇଛି ତାହା ଗଣମାଧ୍ୟମ ଆଗରେ ରଖିଥିଲେ। ବିଧାୟକ ଭନୱର ଲାଲ୍‌ ଶର୍ମା ଏବଂ ବିଶ୍ବେନ୍ଦ୍ର ସିଂହଙ୍କୁ ଦଳରୁ ନିଲମ୍ବନ କରାଯାଇଛି ବୋଲି ସୁର୍ଯେବାଲା ଘୋଷଣା କରିଛନ୍ତି। ଶର୍ମା ଏବଂ ସିଂହଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଛି ଏବଂ ସେମାନଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବନ କରାଯାଇଛି ବୋଲି ସୁର୍ଯେବାଲା କହିଛନ୍ତି।

କଂଗ୍ରେସ ଶେଖାୱତଙ୍କ ବିରୋଧରେ ମାମଲା ରୁଜୁ ଏବଂ ତାଙ୍କ ଗିରଫ ଦାବି କରିଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ କଂଗ୍ରେସର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଶେଖାୱତ୍‌ କହିଛନ୍ତି ରେକର୍ଡ ହୋଇଥିବା ୨ଟି ଅଡିଓ ଟେପ୍‌ରେ ତାଙ୍କ ସ୍ବର ନାହିଁ। ସେ ଯେକୌଣସି ପ୍ରକାର ତଦନ୍ତ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ହରିୟାଣାର ମନେସର୍‌‌ ସ୍ଥିତ ଯେଉଁ ରିସୋର୍ଟ‌୍ରେ ପାଇଲଟ୍‌ ଏବଂ ତାଙ୍କ ଗୋଷ୍ଠୀର ବିଧାୟକମାନେ ରହୁଛନ୍ତି ଆଜି ସେଠାରେ ରାଜସ୍ଥାନ ପୁଲିସର ଏକ ଟିମ୍‌ ପହଞ୍ଚି ବହିଷ୍କୃତ ହୋଇଥିବା ଦୁଇ ବିଧାୟକଙ୍କୁ ଠାବ କରିବା ପାଇଁ ପ୍ରୟାସ କରିଥିଲା। ତେବେ ଉଭୟ ସେଠାରେ ଅନୁପସ୍ଥିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର