ଯବାନର ବର୍ବର କାଣ୍ଡ: ନିର୍ବାଚନ ଡ୍ୟୁଟିରେ ଆସିଥିବା ଦୁଇ ସହକର୍ମୀଙ୍କୁ ହତ୍ୟା

ଅହମଦାବାଦ : ଗୁଜରାଟରେ ଆସନ୍ତା ମାସ ୧ ଓ ୫ରେ ହେବାକୁ ଥିବା ନିର୍ବାଚନ ଡ୍ୟୁଟି ପାଇଁ ଆସିଥିବା ଦୁଇଜଣ ଅର୍ଦ୍ଧ ସାମରିକ ବାହିନୀର ଯବାନଙ୍କୁ ତାଙ୍କର ଜଣେ ସାଥୀ ଯବାନ ନିଜର ଏକେ-୫୬ ରାଇଫଲରୁ ଗୁଳି ଚଳାଇ ହତ୍ୟା କରିଥିବା ଜଣାପଡ଼ିଛି। ଏହି ଗୁଳିକାଣ୍ଡରେ ଆଉ ଦୁଇଜଣ ମଧ୍ୟ ଆହତ ହୋଇଛନ୍ତି।

ଉକ୍ତ ଯବାନମାନେ ହେଉଛନ୍ତି ମଣିପୁରର ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆର୍‌ବି)ର। ସିଆର୍‌ପିଏଫ୍‌ ଯବାନଙ୍କ ସହ ସେମାନଙ୍କୁ ମଧ୍ୟ ନିର୍ବାଚନ ଡ୍ୟୁଟି ପାଇଁ ଡେପୁଟେସନରେ ଅଣାଯାଇଥିଲା। ପୋରବନ୍ଦର ନିକଟ ଟୁକଡ଼ା ଗୋସା ଗାଁ ବାତ୍ୟା ଆଶ୍ରୟ ସ୍ଥଳରେ ସେମାନେ ରହୁଥିଲେ। ଶନିବାର ସନ୍ଧ୍ୟାରେ ସେମାନଙ୍କ ଭିତରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜଣେ ଯବାନ ତା’ର ଚାରିଜଣ ସାଥୀଙ୍କ ଉପରକୁ ନିଜର ଏକେ-୫୬ ରାଇଫଲରୁ ଗୁଳି ଚଳାଇଥିଲା। ଏଥିରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଦୁଇଜଣ ଆହତଙ୍କୁ ତୁରନ୍ତ ଜାମନଗର ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଉଛି। ପୁଲିସ ସେମାନଙ୍କ ଝଗଡ଼ାର କାରଣ ବିଷୟରେ ଅନୁଧ୍ୟାନ କରୁଛି।

ସମ୍ବନ୍ଧିତ ଖବର