କୋଲକାତା: ପଶ୍ଚିମବଙ୍ଗର କୋଲକାତାର ଆରଜି କର ହସ୍ପିଟାଲର ଡାକ୍ତରଙ୍କୁ ଦୁଷ୍କର୍ମ ପରେ  ହତ୍ୟା ମାମଲା ସମଗ୍ର ଦେଶକୁ ସ୍ତବ୍ଧ କରିଛି। ଏହି ଗୁରୁତର ଘଟଣା ପରେ ସାରା ଦେଶରେ କଡା ଆଇନ ପାଇଁ ଦାବି ହେବାରେ ଲାଗିଛି। ଯାହା ଦ୍ବାରା ଏପରି ଘୃଣ୍ୟ ଅପରାଧ ବନ୍ଦ ହୋଇପାରିବ।

Advertisment

ଏପରିସ୍ଥଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ସୋମବାରଠାରୁ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନରେ ଏକ ନୂତନ ବିଲ୍ ଉପସ୍ଥାପିତ ହେବ ଯେଉଁଥିରେ ୧୦ ଦିନ ମଧ୍ୟରେ ଦୁଷ୍କର୍ମକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରହିଛି।

ସୂଚନାନୁସାରେ, ଏହି ବିଶେଷ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି  ଏବଂ ମଙ୍ଗଳବାର ଦିନ ପ୍ରସ୍ତାବିତ ବିଲ୍ ଆଗତ ହେବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗର ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ଏହି ବିଲ୍‌କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ବଳାତ୍କାର ବିରୋଧରେ ମମତା ସରକାରଙ୍କ ଏହି ବିଲ୍‌କୁ ତାଙ୍କ ଦଳ ସମର୍ଥନ କରିବ ବୋଲି ବିଜେପି ନେତା ସୁକାନ୍ତ ମଜୁମଦାର କହିଛନ୍ତି।

ତଥାପି ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ବିଧାନସଭା ଭିତରେ ପ୍ରଦର୍ଶନ ବିଜେପି ଜାରି ରଖିବ। ଏହି ବିଲ୍‌ର ନାମକରଣ କରାଯାଇଛି "ଅପରାଜିତା ୱମେନ୍ ଆଣ୍ଡ ଚାଇଲ୍ଡ(ପଶ୍ଚିମବଙ୍ଗ ଅପରାଧିକ ଆଇନ ସଂଶୋଧନ) ବିଲ୍ ୨୦୨୪"।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ ଯେ ତାଙ୍କ ସରକାର ଏହି  ଦୁଷ୍କର୍ମ ବିରୋଧୀ ଆଇନ ଆଣିବେ, ଯାହାଫଳରେ ଏଭଳି କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କୁ ୧୦ ଦିନ ମଧ୍ୟରେ ମୃତ୍ୟୁଦଣ୍ଡ ଦିଆଯାଇପାରିବ।  

ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ କହିଛନ୍ତି ଯେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଶେଷ ଦିନ ମଙ୍ଗଳବାର ଦିନ ଏହି ବିଲ୍ ଆଗତ ହେବ। ସେହି ଦିନ ଏହା ଉପରେ ଆଲୋଚନା ହେବ ଏବଂ ଏହାକୁ ପାରିତ କରିବାର ପ୍ରକ୍ରିୟା ଶେଷ ହେବ।  

ଅଧିକ ପଢ଼ନ୍ତୁ:ଲକ୍ଷ୍ନୌ ହଷ୍ଟେଲରୁ ମିଳିଲା ଆଇପିଏସ ଅଫିସରଙ୍କ ୧୯ବର୍ଷୀୟ ଝିଅର ମୃତଦେହ

ଏହି ପଦକ୍ଷେପ ସହିତ ରାଜ୍ୟ ସରକାର  ଏଭଳି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଏହାକୁ ବ୍ୟାପକ ସମର୍ଥନ କରୁଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ:ସିନେମା ରିଲିଜକୁ ଅଟକାଇ ଦିଆଯିବା ସହିତ ମିଳୁଛି ହତ୍ୟା ଧମକ