ଆନ୍ଦୋଳନରତ କୃଷକ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଚଢ଼ାଇଦେଲେ ଗାଡ଼ି, ଦୁଇ କୃଷକ ମୃତ

ଲକ୍ଷ୍ମୀପୁର (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଆଜି (ରବିବାର) ଘଟିଯାଇଛି ଏକ ଅଭାବନୀୟ ଘଟଣା। କେନ୍ଦ୍ର ସାରକାରଙ୍କର ନୂତନ କୃଷିନୀତିକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କ ଉପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଗାଡ଼ି ଚଢ଼ାଇଦେବା ଫଳରେ ଘଟଣାସ୍ଥଳରେ ଦୁଇଜଣ କୃଷକଙ୍କର ମୃତ୍ୟୁ ଘଟିଛି ଓ ଏକାଧିକ ଆହତ ହୋଇଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି।

ଘଟଣାର ବିବରଣୀରୁ ପ୍ରକାଶ, ଲକ୍ଷ୍ମୀପୁର ଖେରୀର ଟିକୁନିଆରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁତ୍ର ଆଶିଷ ମିଶ୍ର ତାଙ୍କ ଗାଡ଼ିରେ ଯାଉଥିବା ବେଳେ ସେଠାରେ ଆନ୍ଦୋଳନରତ କୃଷକମାନେ ତାଙ୍କ ଗାଡ଼ି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳାପତାକା ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ଉତ୍‌କ୍ଷିପ୍ତ ହୋଇ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ତାଙ୍କ କାର ଚଢ଼ାଇ ଦେଇଥିଲେ। ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଅନ୍ୟପକ୍ଷରେ ଭାରତୀୟ କିଷାନ ୟୁନିଅନ (ବିକେୟୁ) ଦାବି କରିଛି ଯେ ଏହି ଘଟଣାରେ ଦୁଇଜଣ ନୁହଁନ୍ତି; ବରଂ ତିନିଜଣ କୃଷକ ପ୍ରାଣ ହରାଇଛନ୍ତି।

PTC News

ପରବର୍ତ୍ତୀ ସମୟରେ ଏହି ଘଟଣାରେ ଉତ୍ତେଜିତ କୃଷକମାନେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ଗାଡ଼ି ସମେତ ତିନିଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଚାଷୀମାନେ ବିରୋଧ ଜାରି ରଖିଛନ୍ତି ଏବଂ ଟିକୁନିଆରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପ ପୁଲିସ୍‌ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାରଙ୍କୁ ଲକ୍ଷ୍ମୀପୁର ଖେରୀରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିକେୟୁ ନେତା ରାକେଶ ଟିକାୟତ ମଧ୍ୟ ଗାଜିପୁରରୁ ଆସି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସମାଜବାଦୀ ପାର୍ଟି (ଏସପି) ନେତା ଅଖିଳେଶ ଯାଦବ ଏହି ଘଟଣାକୁ ନିନ୍ଦା କରିବା ସହ ବିଜେପିର ତୀବ୍ର ସମାଲୋଚନା କରିଛନ୍ତି। ଶାନ୍ତିପୂର୍ଣ୍ଣ ପନ୍ଥାରେ ଆନ୍ଦେଳନରତ ଚାଷୀଙ୍କ ଉପରେ ଏହା ଅତ୍ୟନ୍ତ ଅମାନବୀୟ ତଥା ନିଷ୍ଠୁର କାର୍ଯ୍ୟ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଲୋକ ଦଳର ସଭାପତି ଜୟନ୍ତ ଚୌଧୁରୀ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଗୃହମନ୍ତ୍ରୀ ଚାଷୀଙ୍କ ବିରୋଧକୁ ଦମନ କରିବାକୁ ଷଡଯନ୍ତ୍ର କରୁଛନ୍ତି।

ସମ୍ବନ୍ଧିତ ଖବର