ଗଙ୍ଗା କେନାଲରେ ଭାସୁଥିବା ଦୁଇଟି କାରରୁ ଦୁଇଜଣଙ୍କ ଗଳିତ ଶବ ଉଦ୍ଧାର

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମୁଜଫରନଗରରେ ଦୁଇଟି କାରରୁ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଦୁଇଟି ମୃତଦେହ ଦୁଇଟି ଅଲଗାଅଲଗା ଥାନା ପରିସରରେ ଥିବା ଗଙ୍ଗା କେନାଲରୁ ଜବତ ହୋଇଛି। ଶବଦୁଇଟି ସମ୍ପୂର୍ଣ୍ଣ ଭାବେ ପଚି ଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପ୍ରଥମ ଘଟଣା ଜନପଦର ରତନପୁରୀ ଥାନାସ୍ଥିତ ଗଙ୍ଗା ନଦୀ ନିକଟରେ ଘଟିଛି। ଗତ ସୋମବାର ଗଙ୍ଗା କେନାଲରେ ପାଣି ଟିକେ କମି ଯାଇଥିଲା। ଆଉ ସେଥିରେ ଏକ କାର ଭାସୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସ୍ଥାନୀୟଲୋକ ଏହାର ସୂଚନା ପୁଲିସକୁ ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ କ୍ରେନ ସାହାଯ୍ୟରେ ପାଣି ଭିତରୁ ବାହାର କରି ଦେଖିଲା ବେଳକୁ ପଛ ସିଟରେ ଜଣେ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଭାବେ ପଚି ଯାଇଥିବା ଶବ ମିଳିଥିଲା।

ମୃତକଙ୍କ ପକେଟରୁ ଡ୍ରାଇଭିଂ ଲାଇସେନ୍ସ ମିଳିଥିଲା। ସେଥିରୁ ତାଙ୍କ ପରିଚୟ ଜଣାପଡ଼ିଥିଲା। ଏହାପରେ ବହରାଲ ପୁଲିସ ମୃତକ ଦିଲଶାଦଙ୍କ ପରିବାରକୁ ଏହାର ସୂଚନା ଦେଇ ତଦନ୍ତ ଆରମ୍ଭ କରିଛି।

 

ଏପରି ଆଉ ଏକ ଘଟଣା ଥାନା ସିଖେଡ଼ା ଅଧୀନରେ ଥିବା ଗଙ୍ଗା କେନାଲରେ ଦେଖିବାକୁ ମିଳିଥିଲା।  ଏଠାରେ ଏକ କାର ଭାସୁଥିବା ସ୍ଥାନୀୟ ଲୋକ ଦେଖଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ପାଣି ଭିତରୁ ବାହାର କରିଥିଲା। ଆଉ ଏହି କାର ଭିତରୁ ଜଣେ ବ୍ୟକ୍ତିଙ୍କ ଶଢ଼ି ଯାଇଥିବା ମୃତଦେହ ଥିଲା। ମୃତକଙ୍କ ପାଖରେ ଥିବା କିଛି କାଗଜପତ୍ରକୁ ଯାଞ୍ଚ କରିବା ପରେ ମୃତକଙ୍କ ପରିଚୟ ହରେନ୍ଦ୍ର ଦତ୍ତ ଆତ୍ରେ ବୋଲି ଜଣାପଡ଼ିଥିଲା। ହରେନ୍ଦ୍ର ଫେବ୍ରୁଆରି ୫ରୁ ନିଖୋଜ ଥିଲେ।

ସମ୍ବନ୍ଧିତ ଖବର