ଭୋପାଳ: ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେ‌ବେ ମୋହନ ଯାଦବ। ଏଥିସହିତ ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି ବିଜେପି। ସେମାନେ ହେଲେ ଜଗଦୀଶ ଦେବଡ଼ା ଏବଂ ରାଜେନ୍ଦ୍ର ଶୁକ୍ଳା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟତମ ଆଶାୟୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ବାଚସ୍ପତି କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Advertisment

ମଧ୍ୟପ୍ରଦେଶ ବିଧାୟକମାନଙ୍କ ସହିତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ବିଚାର ଆଲୋଚନା କରିବା ପରେ ମୋହନଙ୍କ ନାମ ଘୋଷଣା କରାଯାଇଛି। ଏହାପରେ ବିଧାୟକ ଦଳର ନେତାଭାବେ ଯାଦବ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଶିବରାଜ ସିଂହ ଚୌହାନ, ପ୍ରହଲ୍ଲାଦ ପଟେଲ, ନରେନ୍ଦ୍ର ସିଂହ ତୋମର, କୈଳାସ ବିଜୟବର୍ଗୀୟ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଦିଙ୍କ ନାମ ଚର୍ଚ୍ଚାର ଥିବା ବେଳେ ଦଳ ମୋହନଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧାଇଛି। ଉଲ୍ଲେଖଯୋଗ୍ୟ ମୋହନ ଜଣେ ଓବିସି ନେତା। ଛାତ୍ର ଜୀବନରୁ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଛି। ଶିବରାଜଙ୍କ ମନ୍ତ୍ରିମଣ୍ଡଳରେ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ। ଆରଏସଏସ ସହିତ ତାଙ୍କର ଭଲ ସଂପର୍କ ଥିବା ମଧ୍ୟ କୁହାଯାଉଛି। ମୁଖ୍ୟମନ୍ତ୍ରୀ ଚୟନ ହେବା ପରେ ମୋହନ ସୋମବାର ସନ୍ଧ୍ୟାରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଯାଦବଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଦଳର ରାଜ୍ୟ ସଭାପତି ଭିଡି ଶର୍ମା ଓ ୩ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ ହେବା ପରେ ଯାଦବ କହିଛନ୍ତି ଜଣେ ଛୋଟ କର୍ମୀକୁ ଦଳ ବିରାଟ ବଡ଼ ଦାୟିତ୍ବ ପ୍ରଦାନ କରିଛି। କେବଳ ବିଜେପି ହିଁ ଏହା କରିପାରେ ବୋଲି ସେ କହିଛନ୍ତି। ଏଥିପାଇଁ ସେ ରାଜ୍ୟ ଏବଂ କେନ୍ଦ୍ରର ନେତୃବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶମୂଳକ କାର୍ଯ୍ୟକୁ ସେ ଆଗେଇ ନେବେ ବୋଲି କହିଛନ୍ତି। ୨୦୧୩ରେ ସେ ପ୍ରଥମ ଥର ଲାଗି ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୮ରେ ମଧ୍ୟ ‌ସେ ଉଜ୍ଜୈନ ଦକ୍ଷିଣ ଆସନରୁ ବିଜୟୀ ହୋଇଥିଲେ। ଗତ ନିର୍ବାଚନରେ ମଧ୍ୟ ‌ସେ ଏହି ଆସନରୁ ବିଜୟୀ ହୋଇଛନ୍ତି। ବାବୁଲାଲ ଗୌର, ଉମା ଭାରତୀ ଓ ଶିବରାଜଙ୍କ ପରେ ସେ ହେଉଛନ୍ତି ରାଜ୍ୟର ଚତୁର୍ଥ ଓବିସି ମୁଖ୍ୟମନ୍ତ୍ରୀ।