ନୀତିଶ ସରକାରରେ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ, ଉଭୟ ବିଜେପିରୁ ହେବେ

ପାଟନା : ନୀତିଶ କୁମାର ଆସନ୍ତା କାଲି ଅର୍ଥାତ ସୋମବାରଦିନ କ୍ରମାଗତ ୪ର୍ଥ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ । ତେବେ ନୀତିଶଙ୍କ ସରକାରରେ ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ରହିବେ ଏବଂ ଉଭୟ ବିଜେପିରୁ ରହିବେ । ଆଜି ଏଠାରେ ବସିଥିବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ମିଳିଥିବା ରିପୋର୍ଟ ଅନୁସାରେ ବରିଷ୍ଠ ବିଜେପି ବିଧାୟକ ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ପୂର୍ବ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ବରିଷ୍ଠ ବିଜେପି ନେତା ଶୁଶୀଲ ମୋଦୀଙ୍କୁ ଏଥର ଉପମୁଖ୍ୟମନ୍ତ୍ରୀ ବଦଳରେ ଅନ୍ୟ କୌଣସି କ୍ୟାବିନେଟ୍ ମନ୍ତ୍ରୀଭାବେ ସୁଯୋଗ ଦିଆଯିବାର ସମ୍ଭାବନା ରହିଛି ।

ଆଜି ବସିଥିବା ଏନଡିଏ ବୈଠକରେ ନୀତିଶଙ୍କୁ ବିହାରରେ ଏନଡିଏର ମୁଖ୍ୟ ଓ ଏନଡିଏ ବିଧାୟକ ଦଳର ମୁଖ୍ୟ ଭାବେ ଚୟନ କରାଯାଇଛି । ଏହାପରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । ଆସନ୍ତା କାଲି ଅପରାହ୍ଣ ସାଢେ ୪ଟା ସମୟରେ ଶପଥ ଗ୍ରହଣ ସମାରୋହ ହେବାର ସମ୍ଭାବନା ରହିଛି ।

ନିକଟରେ ହୋଇଥିବା ନିର୍ବାଚନରେ ବିଜେପି ୭୪ଟି, ଜେଡିୟୁ ୪୩ ଓ ଏନଡିଏର ଅନ୍ୟ ସହଯୋଗୀ ଦଳମାନେ ୮ଟି ଆସନରେ ବିଜୟ ଲାଭ କରିଥିଲେ ।

ସମ୍ବନ୍ଧିତ ଖବର