ଚିତାଙ୍କ ସୁରକ୍ଷା ଦାୟିତ୍ବରେ ଅଛନ୍ତି ଦୁଇ ହାତୀ: ଦିନରାତି ପାଟ୍ରୋଲିଂ କରୁଛନ୍ତି

କୁନୋ: ଭାରତରେ ଚିତାବଂଶ ଲୋପ ପାଇବାର ୭୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ନାମିବ୍ୟାରୁ ଆସିଥିବା ୮ ଚିତା ଏବେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ଶୋଭାବର୍ଦ୍ଧନ କରୁଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ସରକାର ନର୍ମଦାପୁରମ୍-ସ୍ଥିତ ସାତପୁରା ବ୍ୟାଘ୍ର ଅଭୟାରଣ୍ୟରୁ ଲକ୍ଷ୍ମୀ ଓ ସିଦ୍ଧନାଥ ନାମକ ଦୁଇ ହାତୀଙ୍କୁ ଆଣିଛନ୍ତି।

ଳକ୍ଷ୍ମୀ ଓ ସିଦ୍ଧନାଥଙ୍କର ବିଶେ‌ଷ ଅଭିଜ୍ଞତା ଥିବାରୁ ସେମାନଙ୍କୁ ଗତମାସରେ କୁନୋ ଅଣାଯାଇଥିଲା। ଚିତା ଏଠାରେ ପହଞ୍ଚିବା ପୂର୍ବରୁ ତାଙ୍କ ପାଇଁ ଉଦ୍ଦିଷ୍ଟ ଆବଦ୍ଧସ୍ଥାନକୁ ୫ଟି କଲରାପତରିଆ ବାଘ ପଶିଆସିଥିଲେ। ସେମାନଙ୍କ ମଧ୍ୟରୁ ୪ କଲରାପତରିଆଙ୍କୁ ବାହାର କରିବାରେ ଏହି ହାତୀମାନେ ସାହାଯ୍ୟ କରିଥିଲେ। ଏବେ ଏହି ହାତୀ-ଦମ୍ପତିଙ୍କୁ ଦିନରାତି କୁନୋ ଜାତୀୟ ଉଦ୍ୟାନରେ ପାଟ୍ରୋଲିଂ କରିବା ଓ ଚିତାଙ୍କୁ ମନିଟର କରିବା ଦାୟିତ୍ବ ଦିଆଯାଇଛି।
ନାମିବ୍ୟାରୁ ଆସିଥିବା ଚିତାମାନେ ଏବେ ମାସେ କାଳ ସ୍ବତନ୍ତ୍ର ଆବଦ୍ଧବାସରେ ରହିବେ। ସିଦ୍ଧନାଥ ଓ ଲକ୍ଷ୍ମୀ ସେମାନଙ୍କୁ ମନିଟର କରୁଛନ୍ତି। ଅନ୍ୟ କୌଣସି ବନ୍ୟପ୍ରାଣୀ ଯେପରି ଚିତା ରହୁଥିବା ଆବଦ୍ଧ ପରିସରରେ ପ୍ରବେଶ ନ କରନ୍ତି, ତାହା ସୁନିଶ୍ଚିତ କରିବା ଲାଗି ବନକର୍ମଚାରୀଙ୍କ ସହ ହାତୀଦ୍ବୟ ଦିନରାତି ପାଟ୍ରୋଲିଂ କରୁଛନ୍ତି।

କୁନୋ ଜାତୀୟ ଉଦ୍ୟାନର ଡିଏଫ୍‌ଓ ପ୍ରକାଶ କୁମାର ବର୍ମା କହିଛନ୍ତି ଯେ, ବାଘଙ୍କ ରେସ୍କ୍ୟୁ ଅପରେସନ କ୍ଷେତ୍ରରେ ୩୦ ବର୍ଷୀୟ ସିଦ୍ଧନାଥର ନାଁ ଅଛି। ତେବେ ସେ ଟିକିଏ ବଦମିଜାଜୀ। ରାଗିଗଲେ କାହାର ନୁହଁ। ୨୦୧୦ରେ ସେ ଦୁଇଜଣ ମାହୁନ୍ତଙ୍କୁ ହତ୍ୟା କରିଥିଲା। ୨୦୨୧ରେ ଏକ ବାଘକୁ କାବୁ କରିବାରେ ସିଦ୍ଧନାଥ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ୨୫ ବର୍ଷୀୟା ଲକ୍ଷ୍ମୀ ହେଉଛି ଅତି ଶାନ୍ତ ସ୍ବଭାବର କିନ୍ତୁ ତା’ କାମରେ ସେ ଅତ୍ୟନ୍ତ ଦକ୍ଷ। ଲକ୍ଷ୍ମୀ ଜଙ୍ଗଲ ସଫାରୀ, ରେସ୍କ୍ୟୁ ଅପରେସନ (ଉଦ୍ଧାର କାର୍ଯ୍ୟ) ବା ଜଙ୍ଗଲ ପାଟ୍ରୋଲ (ପଇଁତରା) କୌଶଳରେ ଅତ୍ୟନ୍ତ ନିପୁଣ।

ସମ୍ବନ୍ଧିତ ଖବର