ନାମିବ୍ୟାରୁ ଆସିଥିବା ୮ଟି ଚିତାଙ୍କ ସୁରକ୍ଷା ଦାୟିତ୍ବ ନେଲେ ୨ଟି ହାତୀ

ନୂଆଦିଲ୍ଲୀ: ୮୦୦୦ କିଲୋମିଟର ଦୂର ଆଫ୍ରିକା ମହାଦେଶର ନାମିବ୍ୟାରୁ ଆସିଥିବା ୮ଟି ଚିତାକୁ ଶନିବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ସ୍ବତନ୍ତ୍ର ଏନକ୍ଲୋଜରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାଡ଼ିଥିଲେ। ନାମିବ୍ୟାରୁ ଆସିବା ପରେ ପ୍ରଥମ ଥର ପାଇଁ ରବିବାର ସଂଧ୍ୟାରେ ସେମାନଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ସେମାନଙ୍କୁ ୨ କିଲୋ ମଇଁଷି ମାଂସ ଦିଆଯାଇଥିବା ଗୋଟିଏ ଚିତା କମ୍ ଖାଦ୍ୟ ଖାଇଥିବା ଜଣାପଡ଼ିଛି। ତେବେ ବିଦେଶରୁ ଆସିଥିବା ଚିତାମାନଙ୍କ ଉପରେ ଏବେ ବିଶେଷ ଧ୍ୟାନ ଦିଆଯାଉଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଦୁଇଟି ହାତୀଙ୍କୁ ନିଯୋଜିତ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଚିତାଙ୍କ ସୁରକ୍ଷା ପାଇଁ ନର୍ମଦାପୁରମର ସତପୁରା ଟାଇଗର ରିଜର୍ଭରୁ ଦୁଇଟି ହାତୀ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଛି। ହାତୀ, ଲକ୍ଷ୍ମୀ ଏବଂ ସିଦ୍ଧନାଥଙ୍କୁ ସେମାନଙ୍କ ଅଭିଜ୍ଞତା ହେତୁ ଗତ ମାସରେ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା ବୋଲି ଜଣାପଡ଼ିଛି। ଚିତାକୁ ଭାରତ ଅଣାଯିବା ପୂର୍ବରୁ ଦୁଇ ହାତୀଙ୍କ ଦକ୍ଷତା ଜାଣିବା ପାଇଁ ଏକ ପରୀକ୍ଷା କରାଯାଇଥିଲା। ଚିତା ରଖାଯିବାକୁ ଥିବା ଏନକ୍ଲୋଜରରେ ୫ଟି କଲରାପତରିଆ ବାଘଙ୍କୁ ଛଡାଯାଇଥିବା ବେଳେ ଲକ୍ଷ୍ମୀ ଏବଂ ସିଦ୍ଧନାଥ ୪ଟି କଲରାପତରିଆ ବାଘଙ୍କୁ ଘଉଡାଇବାରେ ସକ୍ଷମ ହୋଇଥିଲେ।

ଏବେ ଲକ୍ଷ୍ମୀ ଏବଂ ସିଦ୍ଧନାଥ ଦିନରାତି ଜାତୀୟ ଉଦ୍ୟାନର ସୁରକ୍ଷା ଦଳ ସହିତ ୮ଟି ଚିତାବାଘ ଉପରେ ନଜର ରଖିଛନ୍ତି।

ତେବେ ସୋମବାର ଚିତାବାଘମାନେ ଖୁସିରେ ଖେଳକୁଦ କରୁଥିବା ଦେଖିବାକୁ ମିଳିଛି। ଅଣ୍ଡିରା ଚିତା ଫ୍ରେଡି ଓ ଆଲଟନ ‌ଖେଳୁଥିବାବେଳେ ମାଈ ଚିତା ସାଭନା ଓ ଶଶା ଖୁସି ଅଛନ୍ତି। ଓବାନ, ଆଶା, ସିବିଲି ଏବଂ ସାଇସାଙ୍କ ମ‌ନ ମଧ୍ୟ ଭଲ ରହିଛି ବୋଲି କୁନୋ ଜାତୀୟ ଉଦ୍ୟାନର କର୍ତ୍ତୃପକ୍ଷ କହିଛନ୍ତି। ୮ଟି ଯାକ ଚିତାର ବୟସ ୩୦ରୁ ୬୬ ମାସ ମଧ୍ୟରେ ହେବ। ଭାରତରେ ୧୯୫୨ ମସିହାରୁ ଏହି ପ୍ରଜାତିର ବାଘ ନଥିଲେ।

ସମ୍ବନ୍ଧିତ ଖବର