ତ୍ରିପୁରାରେ ହିଂସା ଉଦ୍ରେକ କରିବା ଅଭିଯୋଗରେ ଥାନାରେ ଅଟକ ଥିବା ଦୁଇ ସାମ୍ବାଦିକାଙ୍କ ମଧ୍ୟରୁ ଜଣେ ଓଡ଼ିଶାର

ଅଗରତାଲା: ଅପରାଧିକ ଷଡ଼ଯନ୍ତ୍ର ଏବଂ ଧର୍ମକୁ ନେଇ ଶତ୍ରୁତା ଉଦ୍ରେକ କରାଇଥିବା ଅଭିଯୋଗ ହେତୁ ତ୍ରିପୁରା ପୁଲିସ ଅଟକ ରଖିଥିବା ଦୁଇଜଣ ସାମ୍ବାଦିକାଙ୍କ ମଧ୍ୟରୁ ଜଣେ ଓଡ଼ିଶା ଅନ୍ତର୍ଗତ ଝାରସୁଗୁଡ଼ା ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମ ଦିଲ୍ଲୀସ୍ଥିତ ରୋହିଣୀର ବାସିନ୍ଦା। ସେମାନେ ହେଉଛନ୍ତି ୨୧ ବର୍ଷୀୟ ସମୃଦ୍ଧି କେ ସକୁନିଆ ଏବଂ ୨୪ ବର୍ଷୀୟ ସ୍ବର୍ଣ୍ଣ ଝା। ଦୁହେଁ ଉତ୍ତର ତ୍ରିପୁରା ଅନ୍ତର୍ଗତ ଧର୍ମନଗରସ୍ଥିତ ଏକ ହୋଟେଲ୍‌ରେ ରହୁଥିଲେ।

କାର୍ଯ୍ୟନ୍ୟସ୍ତ ସାମ୍ବାଦିକା ବୋଲି ଦାବି କରୁଥିବା ଉ‌ପରୋକ୍ତ ଦୁଇ ତରୁଣୀଙ୍କ ବିରୋଧରେ ରବିବାର ଦିନ ତ୍ରିପୁରା ପୁଲିସ ନୋଟିସ ଜାରି କରିଥିଲା। ପରେ ଗୌହାଟି ଯାଉଥିବା ବେଳେ ଦକ୍ଷିଣ ଆସାମର କରିମଗଞ୍ଜରେ ସେମାନଙ୍କୁ ଅଟକ ରଖାଯାଇଥିଲା। କିନ୍ତୁ, ସାମ୍ବାଦିକା ଭାବେ କାର୍ଯ୍ୟନ୍ୟସ୍ତ କରିଥିବା କ‌ୌଣସି ଗଣମାଧ୍ୟମ ସଂଗଠନରୁ ପ୍ରାପ୍ତ ପରିଚୟ ପତ୍ର ସେମାନେ ପୁଲିସକୁ ଦେଖାଇ ପାରି ନ ଥିଲେ ବୋଲି ସେମାନଙ୍କୁ ଆସାମ ପୁଲିସ ଠାରୁ ଆଣିବା ପରେ ତ୍ରିପୁରା ପୁଲିସ କହିଛି।

Image Courtesy of Telegraph India

ସେମାନଙ୍କ ନାମରେ ଗୋମତି ଜିଲ୍ଲା ଅନ୍ତର୍ଗତ କକ୍ରବନ ଥାନାରେ ‘ଆଇପିସି’ ଧାରା ୧୫୩ କ (ଧର୍ମକୁ ନେଇ ଶତ୍ରୁତା ଉଦ୍ରେକ କରାଇବା) ଏବଂ ଧାରା ୧୨୦ ଖ (ଅପରାଧିକ ଷଡ଼ଯନ୍ତ୍ର) ଅଧୀନରେ ମାମଲା ରୁଜୁ କରାଯାଇଛି। ତେଣୁ, ଅଗରତାଲାରେ ବୟାନ ଦେବା ପାଇଁ ସେମାନଙ୍କୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ହୋଟେଲ୍‌ରେ ରେକର୍ଡ ହୋଇଥିବା ତଥ୍ୟାବଳୀକୁ ଆଧାର କରି ପୁଲିସ କହିଛି, ହୋଟେଲ୍‌ରେ ରହିବା ପାଇଁ ଦୁହେଁ, ଛାତ୍ରୀ ବୋଲି ପରିଚୟ ଦେବା ସହ ଭ୍ରମଣ ଉଦ୍ଦେଶ୍ୟରେ ଆସିଥିବା କଥା କହିଥିଲେ। ଏଥିରୁ ‌ସନ୍ଦେହ ହେବାରୁ ‘ଆଇପିସି’ ଧାରା ଅନୁଯାୟୀ ନୂଆ ମାମାଲା ରୁଜୁ କରି ଆମେ ତଦନ୍ତ ଆରମ୍ଭ କଲୁ।

ଟ୍ୟାକ୍ସିରେ ଯାତ୍ରା କରୁଥିବା ଦୁଇ ତରୁଣୀ ଅଗରତାଲା ଯିବା ପରିବର୍ତ୍ତେ ରବିବାର ଦିନ କୁମାରଘାଟ ଯାଇ ସେଠାରୁ ଦକ୍ଷିଣ ଆସାମରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଧରା ନ ପଡ଼ିବାକୁ ଦୁହେଁ ଚୁରାଇବାରି ଦେଇ ଆନ୍ତଃରାଜ୍ୟ ସୀମା ପାରି ହୋଇଥିଲେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର