ଭାରତରୁ ଆଉ ୨ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ, ଜଣେ ଦିଲ୍ଲୀ ଓ ଅନ୍ୟ ଜଣେ ତେଲେଙ୍ଗାନାର ବାସିନ୍ଦା

ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା ଭୟଙ୍କର ଭାଇରସ୍‌ କରୋନା ତା’ର ବଂଶ ବିସ୍ତାର କରିବାରେ ଲାଗିଛି। ନାନା ପ୍ରକାରର ସଚେତନତା ପରେ ବି ଥମିବାର ନା ଧରୁନି ଏହି ଭୟଙ୍କର ଭାଇରସ୍‌। ଭାରତରୁ ପୁଣି ୨ ଜଣଙ୍କ ଭିତରେ ଏହି ଭାଇରସ୍‌ ଚିହ୍ନଟ ହୋଇଛି। ଜଣେ ନୂଆଦିଲ୍ଲୀର ବାସିନ୍ଦା ହୋଇଥିବା ବେଳେ ଆଉ ଜଣେ ତେଲେଙ୍ଗାନାର ବୋଲି ଜାଣିବାକୁ ମିଳିଛି। ଦୁଇ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଓ ସେ ଦୁହିଁଙ୍କୁ କଡ଼ା ନଜରରେ ରଖାଯାଇଛି।

ସୋମବାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଦିଲ୍ଳୀରୁ ଓ ତେଲେଙ୍ଗାନାରୁ ୨ ଜଣଙ୍କୁ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ କରାଯାଇଛି ବୋଲି ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ଏହି ଦୁଇ ଜଣଙ୍କର ରକ୍ତ ନମୁନା ପରୀକ୍ଷାରୁ ସେମାନେ ପଜିଟିଭ୍ ବୋଲି ସ୍ପଷ୍ଟ ହୋଇଛି।

ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ନିକଟରେ ଇଟାଲିରୁ ଫେରିଥିବା ବେଳେ ଅନ୍ୟ ଜଣେ ଦୁବାଇରୁ ଫେରିଥିଲେ। ଦୁଇ ଜଣଙ୍କୁ ସ୍ବାସ୍ଥ୍ୟାବସ୍ଥା ଆୟତ୍ତରେ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦିଲ୍ଳୀର ଆକ୍ରାନ୍ତ ଜଣକ ଇଟାଲିରୁ ଫେରିଥିବା ବେଳେ ତେଲେଙ୍ଗାନାର ଆକ୍ରାନ୍ତ ଜଣକ ଦୁବାଇରୁ ଫେରିଥିବା ସୂଚନା ରହିଛି।

Livemint

ସେହିପରି ଆଜି ତୁରନ୍ତ ସ୍ଥାନାନ୍ତର ପାଇଁ ନିବେଦନ କରି ଇଟାଲିରେ ଏକ ସପ୍ତାହ ହେବ ଅଟକି ରହିଥିବା ପ୍ରାୟ ୮୫ଜଣ ଭାରତୀୟ ଛାତ୍ର ସରକାରଙ୍କୁ ଜରୁରୀ ବାର୍ତ୍ତା ପଠାଇଛନ୍ତି। କରୋନାଭାଇରସ୍‌ ସଂକ୍ରମଣ ଘଟି ଉତ୍ତର ଇଟାଲିର ଲୋମ୍ବାର୍ଡି ଅଞ୍ଚଳର ବିଶ୍ୱବିଦ୍ୟାଳୟ ନଗରୀ ପାଭିଆ ଠାରେ ୧୭ଜଣଙ୍କର ମୃତ୍ୟୁ ଘଟିଛି। ପାଭିଆରେ ଅଟକିଥିବା ଏହି ଛାତ୍ରମାନଙ୍କ ମଧ୍ୟରୁ କେତେକ ଭାରତ ଫେରିବା ଲାଗି ବିମାନ ଟିକେଟ୍‌ କରିଥିଲେ। କିନ୍ତୁ, ଇଟାଲିରେ କରୋନାଭାଇରସ୍‌ ସଂକ୍ରମଣ ପରେ ସେଗୁଡ଼ିକୁ ବାତିଲ କରାଯାଇଛି।ଏହି ୮୫ଜଣଙ୍କ ମଧ୍ୟରେ ଅଛନ୍ତି ତେଲେଙ୍ଗାନାର ୨୫ଜଣ, କର୍ଣ୍ଣାଟକର ୨୦ଜଣ, ତାମିଲନାଡୁର ୧୫ଜଣ, କେରଳର ୪ଜଣ, ଦିଲ୍ଲୀର ୨ଜଣ, ରାଜସ୍ଥାନ, ଗୁରୁଗ୍ରାମ ଓ ଡେରାଡୁନ୍‌ର ଜଣେ ଲେଖାଏଁ ଭାରତୀୟ ଛାତ୍ର। ସେମାନଙ୍କ ମଧ୍ୟରୁ ପ୍ରାୟ ୬୫ଜଣ ଇଞ୍ଜିନିୟରିଙ୍ଗ୍‌ ପଢୁଛନ୍ତି।

ଏବେ ସୁଦ୍ଧା ଭାରତରେ ୩ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେମାନେ ସମସ୍ତେ କେରଳର ବୋଲି ଜାଣିବାକୁ ମିଳିଛି। କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି ବୋଲି ରିପୋର୍ଟ ଆସିବା ପରେ ସେମାନଙ୍କର ଚିକିତ୍ସା କରାଯାଇଥିଲା। ସେମାନେ ସମସ୍ତେ ଏବେ ଏହି ଭୟାବହ ଭାଇରସ୍‌ରୁ ମୁକ୍ତ ହୋଇ ସାରିଛନ୍ତି। ଚୀନର ଉହାନରୁ ସୃଷ୍ଟି ହୋଇଥିବା ଏହି ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଏବେ ସୁଦ୍ଧା ସେଠାରେ ୩୦୦୦ରୁ ଊର୍ଧ୍ବ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି।

ସମ୍ବନ୍ଧିତ ଖବର