ଦୁଇମୁହାଁ ବିରଳ ନାଗ ସାପ ଉଦ୍ଧାର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଜଙ୍ଗଲ ଅଧିକାରୀମାନେ ଡେରାଡୁନ୍ ଜିଲ୍ଲାର କାଲସି ଜଙ୍ଗଲରୁ ଏକ ବିରଳ ଦୁଇ ମୁଣ୍ଡିଆ ନାଗ ସାପ ଉଦ୍ଧାର କରିଛନ୍ତି।

ସାପ ଧରାଳୀ ଆଦିଲ ମିର୍ଜା କହିଛନ୍ତି ଯେ ଗତ ଗୁରୁବାର ଦିନ ଜିଲ୍ଲାର ବିକାଶ ନାଗର ଅଞ୍ଚଳରେ ଥିବା ଏକ ଇଣ୍ଡଷ୍ଟ୍ରିଆଲ୍ ୟୁନିଟ୍ ପରିସରରେ  ଛୋଟ ଦୁଇ ମୁଣ୍ଡିଆ ନାଗସାପ ଥିବା ଖବର ମିଳିଥିଲା। କାଲସି ଡିଏଫଓ ଉକ୍ତ ନାଗସାପକୁ ଉଦ୍ଧାର କରିବାକୁ ମୋତେ ନିର୍ଦ୍ଦେଶ ଦେଇଥିଲେ। ଖବର ପାଇ ଯେତେବେଳେ ମୁଁ ଘଟଣାସ୍ଥଳକୁ ଯାଇଥିଲି ସେଠାରେ  ଦୁଇ ମୁଣ୍ଡ ବିଶିଷ୍ଟ ଏକ ନାଗ ସାପ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହା ଅତ୍ୟନ୍ତ ବିରଳ ସାପ । ସାପର ଲମ୍ବ ପ୍ରାୟ ଦେଢ଼ ଫୁଟ ହୋଇଥିବା ବେଳେ ଦୁଇ ସପ୍ତାହ ପୂର୍ବେ ଜନ୍ମ ହୋଇଥିବା ଅନୁମାନ କରାଯାଉଛି।

ଆଦିଲ ମିର୍ଜା ଗତ ୧୫ବର୍ଷ ହେବ ସାପ ଧରୁଥିବା ବେଳେ ଏବେ ସେ ବନ ବିଭାଗ ସହିତ କାମ କରୁଛନ୍ତି।

କାଲସି ଡିଏଫ୍ଓ ବିବି ମାର୍ଟୋଲିଆ  କହିଛନ୍ତି ଯେ ଏହି ବିରଳ ସାପକୁ ଡେରାଡୁନ ପ୍ରାଣୀ ଉଦ୍ୟାନକୁ ପଠାଯାଇଛି। ଯେଉଁଠାରେ ପ୍ରାଣୀ ଚିକିତ୍ସକମାନେ ଏହାକୁ ଯାଞ୍ଚ କରିବେ।ଡାକ୍ତରମାନେ  ଯାଞ୍ଚ କରିବା ପରେ ସାପକୁ ମୁକ୍ତ କରାଯିବ ନା ଏହାକୁ ଅଧ୍ୟୟନ ପାଇଁ ରଖାଯିବ ତାହା ସ୍ଥିର ହେବ। ଏହିପରି ସାପମାନେ ଜଙ୍ଗଲରେ ଖୁବ ଅଳ୍ପଦିନ ବଞ୍ଚି ରହନ୍ତି।

 

ସମ୍ବନ୍ଧିତ ଖବର