ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହୋଇ ବ୍ରିଟେନରେ ଜଣେ ଓଡ଼ିଆ ଡାକ୍ତରଙ୍କ ସମେତ ୩ଜଣ ଭାରତୀୟ ବଂଶୋଦ୍ଭବ ଡାକ୍ତର ପ୍ରାଣ ହରାଇଥିବା ଜଣାପଡିଛି | ଏହା ସହ ୫ଜଣ ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ନେଇ ବ୍ରିଟିଶ୍ ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆନ୍ ଅରିଜିନ୍ ସୂଚନା ଦେଇଛି | ମୃତ୍ୟୁମୁଖରେ ପଡ଼ିଥିବା ଓଡ଼ିଆ ଡାକ୍ତରଙ୍କ ନାଁ ରାଧାରମଣ ଶର୍ମା ହୋଇଥିବା ବେଳେ ଦୁଇ ଭାରତୀୟ ବଂଶୋଦ୍ଭବ ଡାକ୍ତର ହେଲେ ଜିତେନ୍ଦ୍ର ରାଥୋଡ ଏବଂ ହମଜା ପଛେଇରୀ |
ଓଡ଼ିଆ ଡାକ୍ତର ରାଧାରମଣ ଶର୍ମା ଲଣ୍ଡନର ଜଣେ ପ୍ରତିଷ୍ଠିତ ମାନସିକ ରୋଗ ବିଶେଷଜ୍ଞ ଥିଲେ। ତାଙ୍କ ଶରୀରରେ ନୋବେଲ କରୋନାଭାଇରସର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି | ସେ ଏସସିବି ମେଡିକାଲ କଲେଜରୁ ଏମବିବିଏସ ପାସ କରିବା ସହ କଟକର ଷ୍ଟୁଆର୍ଟ ସ୍କୁଲର ଛାତ୍ର ଥିଲେ । ବ୍ରିଟେନ ଯିବା ପରେ ସେ ଓଡିଆ ସୋସାଇଟିର ଜଣେ ସକ୍ରିୟ ସଦସ୍ୟ ଥିଲେ ବୋଲି ସୂଚନା ମିଳିଛି।

ସେହି ଭଳି ଭାବେ ବ୍ରିଟେନରେ କାର୍ଡିଓଥୋରାସିକ୍ ସର୍ଜନ ଭାବେ କାମ କରୁଥିବା ଜିତେନ୍ଦ୍ର ରାଥୋଡ କରୋନା ଆକ୍ରାନ୍ତ ହେବା ପରେ ସୋମବାର ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା | ସେ ମୁମ୍ବାଇର ଏକ କଲେଜରୁ ଟ୍ରେନିଂ ନେବା ପରେ ୨୫ବର୍ଷ ତଳେ ବ୍ରିଟେନ ଚାଲିଯାଇଥିଲେ | ସେହିପରି ପେରିଣ୍ଟାଲମନ୍ନାରେ ଜନ୍ମଗ୍ରହଣ କରିଥିବା ଡାକ୍ତର ହମଜା ପଛେଇରୀ ଏପ୍ରିଲ ୧ରେ କରୋନା ଭୂତାଣୁର ଶିକାର ହୋଇ ପ୍ରାଣ ହରାଇଥିଲେ ବୋଲି ଜଣା ପଡିଛି | ବର୍ମିଂହାମ୍ର ସିଟି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା |