ଜୟପୁର/ ନୂଆଦିଲ୍ଲୀ: ପୁଣି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ମହିଳା ସଦସ୍ୟଙ୍କ ଦ୍ବାରା ‘ହନିଟ୍ରାପ୍’ର ଶିକାର ହୋଇଛନ୍ତି ଭାରତୀୟ ସେନା ଯବାନ୍। ପୋଖରାନ୍ରେ ମୁତୟନ ଥିବା ୨ ଜଣ ସେନା ଯବାନ, ପାକିସ୍ତାନୀ ଆଇଏସ୍ଆଇର ମହିଳା ସଦସ୍ୟଙ୍କ ‘ହନିଟ୍ରାପ୍’ରେ ଫସି ଯିବାପରେ ଭାରତୀୟ ସେନାର ଏହି ୨ ଯବାନ ସେନାବାହିନୀର ଅନେକ ଗୋପନୀୟ ଓ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ହ୍ବାଟସ୍ଆପ୍ ଓ ଫେସ୍ବୁକ୍ ଜରିଆରେ ଏମାନଙ୍କ ନିକଟକୁ ପାକିସ୍ତାନକୁ ପଠାଇଥିବା ଅଭିଯୋଗରେ ଏହି ୨ ଯବାନଙ୍କୁୁ ଗତକାଲି (ମଙ୍ଗଳବାର) ଯୋଧପୁର ରେଳ ଷ୍ଟେସନରୁ ଗିରଫ କରାଯାଇଛି।
/sambad/media/post_attachments/wp-content/uploads/2019/11/BSF1.jpg)
ସେନା ବିଭାଗ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ପୋଖରାନ୍ରେ ମୁତୟନ ଥିବା ଭାରତୀୟ ସେନାର ଲାନ୍ସ ନାଏକ ରବି ବର୍ମା ଓ ଯବାନ୍ ବିଚିତ୍ର ଭୋରା ପାକିସ୍ତାନୀ ଆଇଏସ୍ଆଇର ମହିଳା ସଦସ୍ୟଙ୍କ ‘ହନିଟ୍ରାପ୍’ରେ ଫସି ଯିବାପରେ ତାଙ୍କ ନିକଟକୁ ଭାରତୀୟ ସେନା ବିଭାଗର ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ହ୍ବାଟସ୍ଆପ୍ ଓ ଫେସ୍ବୁକ୍ ଜରିଆରେ ପଠାଉଥିଲେ। ଏହି ଦୁଇଜଣଙ୍କ ଗତିବିଧି ଓ ଚାଲିଚଳଣ କ୍ରମେ ସନ୍ଦେହଜନକ ହେବାରୁ ସେନା ଗୁଇନ୍ଦା ବିଭାଗ ପକ୍ଷରୁ ଏମାନଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖା ଯାଇଥିଲା। ଲାନ୍ସ ନାଏକ ରବି ବର୍ମାଙ୍କ ଘର ମଧ୍ୟପ୍ରଦେଶରେ ହୋଇଥିବା ଯବାନ୍ ବିଚିତ୍ର ଭୋରାଙ୍କ ଘର ଆସାମରେ। ଉଭୟେ ମଙ୍ଗଳବାର ଦିନ ନିଜ ନିଜ ଘରକୁ ଯିବା ଉଦ୍ଦେଶ୍ୟରେ ଯୋଧପୁର ଷ୍ଟେସନ୍ରେ ଟ୍ରେନ୍କୁ ଅପେକ୍ଷଶ କରିଥିବା ବେଳେ ସେନାର ଗୁଇନ୍ଦା ବିଭାଗ ଏମାନଙ୍କୁ ଗିରଫ କରିଥିଲା। ଏବେ ଏହି ୨ ଜଣଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ସେନା ଗୁଇନ୍ଦା ବିଭାଗ ପକ୍ଷରୁ ଜେରା କରାଯାଉଛି।