ବାସ୍ତୁବିତ୍ ହତ୍ୟାକାଣ୍ଡ : ହତ୍ୟାକାରୀ ଦୁଇ ପୂର୍ବତନ କର୍ମଚାରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏକ ପଞ୍ଚ ତାରକା ହୋଟେଲରେ ଆଜି ହୋଇଥିବା ହତ୍ୟାକାଣ୍ଡ ଘଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତଙ୍କ ନାଁ ମଂଜୁନାଥ ଓ ମହାନତେସ ବୋଲି ଜଣାପଡ଼ିଛି । ସେମାନେ ମୃତ ଚନ୍ଦ୍ରଶେଖର ଗୁରୁଜୀଙ୍କ ପୂର୍ବତନ କର୍ମଚାରୀ ବୋଲି ଜଣାପଡ଼ିଛି । କୌଣସି ବ୍ୟକ୍ତିଗତ ଶତ୍ରୁତା କାରଣରୁ ଏହି ହତ୍ୟା କରାଯାଇଥିବା କୁହାଯାଉଛି ।

ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ‘ସରଳ ବାସ୍ତୁ’ର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଗୁରୁଜୀ ବେଙ୍ଗାଲୁରୁର ପ୍ରେସିଡେନ୍ସ ହୋଟେଲକୁ ଯାଇଥିବାବେଳେ ତାଙ୍କୁ ମଂଜୁନାଥ ଓ ମହାନତେସ ଛୁରି ଭୁସି ହତ୍ୟା କରିଥିଲେ । ହୋଟେଲର ରିସିପସନରେ ସେମାନେ ପ୍ରଥମେ ଚନ୍ଦ୍ରଶେଖରଙ୍କ ପାଦ ଛୁଇଁବା ସହ ତାଙ୍କ ସହ କିଛି ସମୟ କଥା ହୋଇଥିଲେ । ଏହା ପରେ ସେମାନେ ହଠାତ ତାଙ୍କ ଉପରେ ଆକ୍ରମଣ କରିବା ସହ ପ୍ରାୟ ୬୦ରୁ ଅଧିକ ଥର ଛୁରୀ ଭୁସିଥିଲେ । ଏହି ହୃଦୟ ବିଦାରକ ଘଟଣା ହୋଟେଲର ସିସିଟିଭିରେ କଏଦ ହୋଇଛି । ଏହି ଘଟଣା ଘଟିଚାଲିଥିବାବେଳେ ପାଖରେ ଥିବା ଲୋକମାନେ ଭୟରେ ଏଣେତେଣେ ପଳାଇଯାଇଥିଲେ ।

ଚନ୍ଦ୍ରଶେଖର ଗୁରୁଜୀ ମୁମ୍ବାଇରେ ରହୁଥିଲେ ବି ସେ ବାଙ୍ଗାଲୁରୁରେ ବେଶ ଜଣାଶୁଣା ଥିଲେ । କର୍ଣ୍ଣାଟକର ହୁବୁଳିଠାରେ ଥିବା ଗୁରୁଜୀଙ୍କ ପରିବାରର ଜଣେ ଶିଶୁର ମୃତ୍ୟୁ ହେବା ପରେ ତାହାର ଅନ୍ତଷ୍ଟିକ୍ରିୟାରେ ସାମିଲ ହେବାକୁ ସେ ମୁମ୍ବାଇରୁ ଆସିଥିଲେ ।

ସମ୍ବନ୍ଧିତ ଖବର