ଦୁଇ ଲକ୍ଷର ବିଟ୍‌କଏନ୍‌ ସ୍କାମ୍‌ ତଦନ୍ତ: ସାମ୍ନାକୁ ଆସିଲା ୨୦୦ କୋଟିର ଜାଲିଆତି

ବେଙ୍ଗାଲୁରୁ: ବିଟକଏନ୍‌ରେ ବିନିଯୋଗ କରି ଅଧିକ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଇ ଜଣେ ସଙ୍ଗୀତ ଶିକ୍ଷକଙ୍କୁ ୨.୪୭ ଲକ୍ଷ ଠକିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଜଣେ ବେଙ୍ଗାଲୁରୁ ବାସିନ୍ଦାଙ୍କୁ ଗିରଫ କରିଛି। ୨ ଲକ୍ଷ ବିଟକଏନ୍ ସ୍କାମର ତଦନ୍ତବେଳେ ମୁମ୍ବାଇ ପୁଲିସ ୨୦୦ କୋଟି ଟଙ୍କାର ଆର୍ଥିକ ଜାଲିଆତି ସଂପର୍କରେ ଜାଣିବାକୁ ପାଇଛି। ୧୧ଟି ବ୍ୟାଙ୍କ ଆକାଉଣ୍ଟରେ ଏହି ଜାଲିଆତି ହୋଇଛି। ଅଭିଯୁକ୍ତ ଜଣକ ମହମ୍ମଦ ଜବିର (୩୧) ବୋଲି ଜଣାପଡ଼ିଛି। ଗତ ବର୍ଷ ଜଣେ ଶିକ୍ଷକ ବିଟକଏନ୍ ସ୍କାମରେ ପ୍ରତାରିତ ହେବା ପରେ ମତୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ସେ ପୁଲିସକୁ କହିଛନ୍ତି, ଗତ ବର୍ଷ ଅଗଷ୍ଟ ମାସରେ ବିଟକଏନରେ ବିନିଯୋଗ କରିବାକୁ ସେ ଏକ ମେସେଜ ପାଇଥିଲେ। ତାଙ୍କୁ ପ୍ରତିଦିନ ପୁଞ୍ଜି ନିବେଶର ରିଟର୍ଣ୍ଣ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ଲେ ଷ୍ଟୋରରୁ ‘ଆରୋହାଶ୍’ ଆପ୍ ଡାଉନଲୋଡ୍ କରିବାକୁ କୁହାଯାଇଥିଲା।

ଶିକ୍ଷକ ଏହି ଆପ୍‌କୁ ଡାଉନଲୋଡ୍ କରି ୨ ହଜାର ଟଙ୍କା ବିନିଯୋଗରେ ୫୦ ଟଙ୍କା ଲାଭ ପାଇଥିଲେ। ଦିନକୁ ଦିନ ତାଙ୍କ ବିନିଯୋଗ ପାଇଁ ଅଧିକ ଲାଭ ପାଇବାକୁ ଲାଗିଲେ। ଏହାପରେ ଅଭିଯୋଗକାରୀ ଆରବ ଖାନ୍ନା ନାମକ ଜନୈକ ବ୍ୟକ୍ତିଙ୍କଠାରୁ ଫୋନ୍‌ କଲ୍‌ ପାଇଥିଲେ। ସେ ତାଙ୍କୁ ବିପୁଳ ପରିମାଣର ଲାଭ ପାଇଁ ଅର୍ଥ ବିନିଯୋଗ କରିବାକୁ କହିଥିଲେ। ଶିକ୍ଷକଜଣକ ତା ଜାଲରେ ପଡ଼ିଯାଇଥିଲେ ଏବଂ ବିଟକଏନ୍ ପାଇଁ ଆପ୍‌ରେ ୨.୪୭ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ସେ ପୁଲିସକୁ କହିଛନ୍ତି, ଅଭିଯୁକ୍ତମାନେ ହ୍ବାଟସ୍ ଆପ୍ ଗ୍ରୁପ୍ ମଧ୍ୟ ଗଠନ କରିଥିଲେ। ଯେଉଁଥିରେ ୨୦୦ରୁ ଅଧିକ ନିବେଶକ ସାମିଲ ହୋଇଥିଲେ। କିନ୍ତୁ କିଛି ଦିନ ପରେ ବୈଷୟିକ କାରଣ ଦର୍ଶାଇ ପ୍ଲେ ଷ୍ଟୋରରୁ ଆପ୍ ଅପସାରିତ ହୋଇଥିଲା ଏବଂ ଗ୍ରୁପ୍‌କୁ ମଧ୍ୟ ଡିଲିଟ୍ କରି ଦିଆଯାଇଥିଲା।

ଏହାପରେ ଶିକ୍ଷକ ଜଣକ ଟଙ୍କା ପାଇଁ କଲ୍ କରୁଥିବା ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ପାଇବାରେ ବିଫଳ ହୋଇଥିଲେ। ଠକାମିର ଶିକାର ହୋଇଥିବା ଜାଣିବା ପରେ ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଦୀପକ ଚୌହାନଙ୍କ ନେତୃତ୍ୱରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଏହି ମାମଲାରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ବେଙ୍ଗାଲୁରୁରୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ନିକଟରୁ ସେମାନେ ଏକ ପାସବୁକ୍, ଡେବିଟ୍ କାର୍ଡ ଏବଂ ମୋବାଇଲ୍ ଫୋନ୍ ଜବତ କରିଛନ୍ତି। ଫୋନ୍‌ ନମ୍ବରଗୁଡିକର ଅପରେଟରମାନେ ଦୁବାଇ ଭିତ୍ତିକ ଆଇପି ଠିକଣା ବ୍ୟବହାର କରିଥିଲେ। ଅକ୍ଟୋବରରୁ କେବଳ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ୧୮୯ କୋଟି ଟଙ୍କା କାରବାର ହୋଇଥିବା ପୁଲିସ କହିଛି। ଏହି ଠକେଇରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର