ଶ୍ରୀନଗରରେ ପୁଲିସ୍‌ ସହ ଏନ୍‌କାଉଣ୍ଟର୍‌: ୨ ‘ଏଲ୍‌ଇଟି’, ଟିଆର୍‌ଏଫ୍‌’ ଆତଙ୍କବାଦୀ ନିହତ: କଶ୍ମୀର ‘ଆଇଜିପି’

ଶ୍ରୀନଗର: ଆଜି ପ୍ରତ୍ୟୁଷରେ ସହରର ଜାକୁରା ଅଞ୍ଚଳରେ ଶ୍ରୀନଗର ପୁଲିସ୍‌ ସହ ଗୁଳି ବିନିମୟ କରି ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍‌-ଏ-ତୈବା’ ଏବଂ ‘ଦି ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌’ ସହ ସମ୍ପୃକ୍ତ ଥିବା ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏନ୍‌କାଉଣ୍ଟର୍‌ରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ପରିଚୟ ମିଳିଥିବା ଜଣକ ହେଉଛନ୍ତି ଇଖ୍ଲାକ୍‌ ହାଜମ୍‌ ବୋଲି କଶ୍ମୀରର ପୁଲିସ ଇନ୍‌ପେକ୍ଟର୍‌ ଜେନେରାଲ୍‌ ବିଜୟ କୁମାର କହିଛନ୍ତି।

ଆଜି ପ୍ରତ୍ୟୁଷରେ ଏହି ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା।

Image Courtesy of Zee News

ନିକଟ ଅତୀତରେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ହସନ୍‌ପଡ଼ା ଅଞ୍ଚଳରେ ହେଡ୍‌ କନେଷ୍ଟବଳ ମହମ୍ମଦ୍‌ ଗନିଙ୍କ ହତ୍ୟାରେ ହାଜମ୍‌ ଜଡ଼ିତ ଥିଲା। କୁମାର କହିଛନ୍ତି ଯେ, ଏନ୍‌କାଉଣ୍ଟର୍‌ସ୍ଥଳରୁ ଦୁଇଟି ପିସ୍ତଲ ସମେତ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଛି।

କୁଲ୍‌ଗାମ୍‌ ଥାନାରେ ହେଡ୍‌ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିବା ଗନିଙ୍କୁ ଜାନୁଆରି ୨୯ ତାରିଖ ଦିନ ହସନ୍‌ପଡ଼ାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କରିଥିଲେ। ଅନନ୍ତନାଗର ବିଜବେହରା ଅଞ୍ଚଳରେ ଥିବା ତାବଲା ଅଞ୍ଚଳରେ ଥିବା ତାଙ୍କ ବାସଭବନ ପାଖରେ ବନ୍ଧୁକଧାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ଏହା ବ୍ୟତିରେକ‌େ, ଏ ସପ୍ତାହର ପ୍ରାରମ୍ଭରେ ଶୋପିଆଁ ଜିଲ୍ଲାର ଅମିଶିଜିପଡ଼ା ଅଞ୍ଚଳରେ ଆତଙ୍କବାଦୀମାନେ ‘ଏଏସ୍‌ଆଇ’ ଶବିର ଅହମଦ୍‌ଙ୍କ ଉପରକୁ ଗୁଳି ଚଳାଇଥିଲେ। ଆହତ ଅବସ୍ଥାରେ ଶବିରଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର