ଭୁବନେଶ୍ବର : ଚଳିତ ଅଗଷ୍ଟ ମାସରେ ବଙ୍ଗୋପସାଗର ବେଶ ଚଳଚଞ୍ଚଳ ରହିଛି । ଗୋଟିକ ପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାରେ ଲାଗିଛି । ଚଳିତ ସପ୍ତାହରେ ବଙ୍ଗୋପସାଗରରେ ପଛକୁ ପଛ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ।

Advertisment

ସ୍କାଏମେଟ ରିପୋର୍ଟ ଅନୁସାରେ ପ୍ରଥମ ଲଘୁଚାପଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଅଗଷ୍ଟ ୨୩ ତାରିଖ ସୁଦ୍ଧା ସୃଷ୍ଟି ହେବ । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ସେତେଟା ପଡ଼ିବ ନାହିଁ । କାରଣ ଏହା ଉତ୍ତରପୂର୍ବ ବଙ୍ଗୋପସାଗର ମ୍ୟାମାର ଓ ବାଂଲାଦେଶ ଉପକୂଳରେ ସୃଷ୍ଟି ହେବ । ତେବେ ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ସୃଷ୍ଟି ହେବ । ଏହା ଏକ ଶକ୍ତିଶାଳୀ ଲଘୁଚାପରେ ପରିଣତ ହେବାର କମ୍ ସମ୍ଭାବନା ଥିଲେ ବି ଏହାର ପ୍ରଭାବରେ ଓଡ଼ିଶାରେ ମୌସୁମୀ ସକ୍ରିୟ ରହିବ ଓ ପ୍ରବଳ ବର୍ଷା ହେବ । ବିଶେଷକରି ଆସନ୍ତା ୨୫ ଓ ୨୬ ତାରିଖ ବେଳକୁ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସ୍କାଏମେଟ କହିଛି । ୨୭ ଓ ୨୮ ତାରିଖ ବେଳକୁ ଏହି ଲଘୁଚାପ ମଧ୍ୟ-ଭାରତ ଆଡ଼କୁ ଗତି କରିବ ଓ ପଶ୍ଚିମ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବର୍ଷା କରାଇବ । ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହ ବେଳକୁ ବୃଷ୍ଟିପାତ ପରିମାଣ କମିବ ।