ଭୁବନେଶ୍ବର: ବାହାନଗା ନିକଟରେ ୨ଟି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେଲା ପରେ  ୨୩୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ବାଲେଶ୍ବରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜ ସମେତ କଟକ ବଡ଼ଡାକ୍ତରଖାନାରେ ଆହତଯାତ୍ରୀମାନଙ୍କୁ ଭର୍ତ୍ତି କରାଯାଇଛି। ଆହତଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଅଧିକ ଡାକ୍ତରଙ୍କ ଆବଶ୍ୟକତା ଥିବା ବେଳେ ଏମ୍ସ ଭୁବନେଶ୍ବର ସହଯୋଗର ହାତ ବଢ଼ାଇଛି।

Advertisment

ଆଜି ପୂର୍ବାହ୍‌ଣରେ ଏମ୍ସରୁ ୨ଟି ଡାକ୍ତରୀ ଦଳ କଟକ ଏବଂ ବାଲେଶ୍ବର ଅଭିମୁଖେ ଯାଇଛନ୍ତି। ଡାକ୍ତର, ରେସିଡେଣ୍ଟ ଡାକ୍ତର ଏବଂ ନର୍ସଙ୍କୁ ନେଇ ୧୧ ଜଣିଆ ସଦସ୍ୟ କଟକ ବଡ଼ଡାକ୍ତରଖାନାକୁ ଯାଇଛନ୍ତି। ସେମାନେ ସେଠାରେ ଆହତଙ୍କୁ ଚିକିତ୍ସା ଯୋଗାଇଦେବେ। ସେହିପରି ଅନ୍ୟ ଏକ ୮ ଜଣିଆ ଟିମ ବାଲେଶ୍ବର ଅଭିମୁଖେ ଯାଇଛନ୍ତି।

publive-image

ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟୁଇଟ୍‌ କରି କହିଥିଲେ ଯେ, ଡାକ୍ତରଙ୍କ ୨ଟି ଟିମ ଏମ୍ସ ଭୁବନେଶ୍ବରରୁ ଦୁର୍ଘଟଣାସ୍ଥଳ ବାଲେଶ୍ବର ଏବଂ କଟକ ପଠାଯାଇଛି। ଆମେ ଲୋକଙ୍କର ଅମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ସମସ୍ତ ଆବଶ୍ୟକ ସହାୟତା ଏବଂ ଚିକିତ୍ସା ସହାୟତା ପ୍ରଦାନ କରୁଛୁ।

ଟ୍ରେନ୍‌ ଦୁର୍ଘଟଣାରେ ପୀଡିତ ଆହତଙ୍କ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ବାଲେଶ୍ବର, କଟକ, ଭଦ୍ରକ ସମତେ ଅନ୍ୟ ଡାକ୍ତରଖାନାକୁ ପ୍ରସ୍ତୁତ ରଖିଛନ୍ତି। ସେହିପରି ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ାରେ ମଧ୍ୟ ସରକାରୀ ଡାକ୍ତରଖାନାଗୁଡ଼ିକ ପ୍ରସ୍ତୁତ ରଖାଯାଇଛି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସବୁ ସହରର ବିଭିନ୍ନ ହସ୍ପିଟାଲରେ ଡାକ୍ତର, ମେଡିକାଲ କର୍ମଚାରୀ, ଔଷଧ ମହଜୁଦ ରଖାଯିବା ସହିତ ମାଗଣାରେ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି।

ସୂଚନାଯୋଗ୍ୟ, ଗତକାଲି କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧)ଟ୍ରେନ୍‌ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ୨୩୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଛି। ଆହୁରି ପ୍ରାୟ ୭୦୦ ଲୋକଙ୍କର ଚିକିତ୍ସା ଜାରି ରହିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଉଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ହେବା ପାଇଁ ଆହୁରି ୩ ଘଣ୍ଟା ଲାଗିପାରେ। ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଇଛି।