ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଖୋଲାରେ ମଳତ୍ୟାଗ କରିବାରୁ ୨ ନାବାଳକଙ୍କୁ ପିଟିପିଟି ହତ୍ୟା

ଶିବପୁରୀ : ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା ସ୍ଥିତ ଭାବଖେଡ଼ି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଦୁଇ ଜଣ ଦଳିତ ନାବାଳକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଖୋଲାରେ ମଳତ୍ୟାଗ କରିବାରୁ ସେମାନଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ସିରସୋଡ୍‌ ଥାନା ଅଧୀନରେ ଏହି ଘଟଣା ଘଟିଛି। ଦୁଇ ଦଳିତ ନାବାଳକ ରୋଶ୍‌ନି (୧୨) ଏବଂ ଅବିନାଶ (୧୦) ଖୋଲାରେ ମଳତ୍ୟାଗ କରିବାରୁ ତାଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ପିଟିପିଟି ହତ୍ୟା କରାଯାଇଛି। ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ହକିମ୍‌ ଯାଦବ ଏବଂ ର‌ାମେଶ୍ବର ଯାଦବ ନାମକ ଦୁଇ ଜଣ ଯୁବକ ଉଭୟ ରୋଶନି ଏବଂ ଅବିନାଶଙ୍କ ଖୋଲାରେ ମଳତ୍ୟାଗକୁ ବିରୋଧ କରି ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଅନ୍ୟନ୍ତ ଗୁରୁତର ଅବସ୍ଥା‌ରେ ଦୁଇ ନାବାଳକଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଅବିନାଶଙ୍କ ବାପା ମ‌ନୋଜ ବାଲ୍ମିକୀ କହିଛନ୍ତି, ତାଙ୍କ ଘରେ ପାଇଖାନା ନଥିବାରୁ ପୁଅ‌ ଖୋଲାରେ ମଳତ୍ୟାଗ ପାଇଁ ଯାଇଥିଲା। କିନ୍ତୁ ପୂର୍ବ ଶତ୍ରୁତା ପାଇଁ ତାଙ୍କ ପୁଅକୁ ପିଟିପିଟି ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଗ୍ବାଲିୟର ରେଂଜ୍‌ ଆଇଜି ରାଜାବାବୁ ସିଂହ କହିଛନ୍ତି, ହାକିମ୍‌ର ମାନସିକ ସ୍ଥିତି ଠିକ୍‌ ନାହିଁ। ଦୁଇ ଜଣ ଶିଶୁ ସେମାନଙ୍କ ଜେଜେବାପାଙ୍କ ଘରକୁ ଯାଉଥିବାବେଳେ ହାକିମ୍‌ ସେମାନଙ୍କୁ ପିଟିପିଟି ହତ୍ୟା କରିଛି ବୋଲି ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର