ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ଘରେ କାମ କରୁଥିବା ଆଉ ଦୁଇଜଣ ସଦସ୍ୟ କରୋନାଭାଇରସ୍ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି। ସପ୍ତାହ ପୂର୍ବରୁ ଜଣେ କର୍ମଚାରୀ ମାରାତ୍ମକ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଖବର ମିଳିଥିଲା। ଓସିୱାରା ପୁଲିସ ଷ୍ଟେସନର ପୁଲିସ ଅଧିକାରୀ ଦୟାନନ୍ଦ ବଙ୍ଗର ଏହି ଖବରକୁ ନିଶ୍ଚିତ କରିଛନ୍ତି | ବୋନି ମଙ୍ଗଳବାର ଦିନ କହିଥିଲେ ଯେ, ତାଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଏହା ସହ ସେ ଏବଂ ତାଙ୍କ ଦୁଇ ଝିଅ ସୁସ୍ଥ ଥିବା ନେଇ ଖବର ଦେଇଥିଲେ ବୋନି କପୁର |
ସେ ଏ ବାବଦରେ ଏକ ଲିଖିତ ବିବୃତ୍ତି ଜାରି କରି କହିଥିଲେ ଯେ,ମୁଁ ଆପଣଙ୍କୁ ଜଣାଇବାକୁ ଚାହେଁ ଯେ, ଆମ ଘରର ଜଣେ କର୍ମଚାରୀ କୋଭିଡ -୧୯ ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି | ଶନିବାର ସନ୍ଧ୍ୟାରେ ସେ ଅସୁସ୍ଥ ଥିଲେ | ତାଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ତାଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। ମୋ ପିଲାମାନେ, ଘରେ ଥିବା ଆମର ଅନ୍ୟ କର୍ମଚାରୀ ଏବଂ ମୁଁ ସମସ୍ତେ ସୁସ୍ଥ ଅଛୁ ଏବଂ ଆମ ମଧ୍ୟରୁ କେହି କୌଣସି ଲକ୍ଷଣ ଏପର୍ଯ୍ୟନ୍ତ ଦେଖାଇ ନାହାଁନ୍ତି। ବାସ୍ତବରେ ଲକଡାଉନ୍ ଆରମ୍ଭ ହେବା ପରଠାରୁ ଆମେ ନିଜ ଘର ଛାଡି ନାହୁଁ ବୋଲି ସେ ଲେଖିଥିଲେ |
ସେ ଆହୁରି ମଧ୍ୟ ଲେଖିଥିଲେ ଯେ, ତାଙ୍କ ପରିବାର ଆସନ୍ତା ୧୪ଦିନ ପାଇଁ ସଙ୍ଗରୋଧରେ ରହିବ ଏବଂ ସମସ୍ତ ସରକାରୀ ନିର୍ଦ୍ଦେଶାବଳୀକୁ ଯତ୍ନର ସହ ପାଳନ କରିବ। ବିଏମସି ତଥା ସେମାନଙ୍କର ଡାକ୍ତରୀ ଦଳ ଆମକୁ ଦେଇଥିବା ନିର୍ଦ୍ଦେଶ ଏବଂ ପରାମର୍ଶକୁ ଆମେ ଯତ୍ନର ସହ ପାଳନ କରିବୁ। ତ୍ୱରିତ ପ୍ରତିକ୍ରିୟା ପାଇଁ ଆମେ ମହାରାଷ୍ଟ୍ର ସରକାର ଏବଂ ବିଏମସିକୁ ଧନ୍ୟବାଦ ଦେଉଛୁ | ମୁଁ ଏହି ସୂଚନା ସେୟାର କରୁଛି କାରଣ କରୋନାକୁ ନେଇ ଆତଙ୍କିତ ହେବା ଜରୁରୀ ନୁହେଁ। ଆବଶ୍ୟକ ଅନୁଯାୟୀ ଆମେ ସମସ୍ତ ସତର୍କତା ଅବଲମ୍ବନ କରିବୁ। ଏହି ବିବୃତ୍ତିରେ ବୋନି ଆଶା କରିଥିଲେ ଯେ, ତାଙ୍କ କର୍ମଚାରୀ ସୁସ୍ଥ ହୋଇ ଶୀଘ୍ର ତାଙ୍କ ସହିତ ରହିବ ପାଇଁ ଘରକୁ ଫେରିବେ। ତେବେ ଦିନକ ପରେ ଆଜି ପୁଣି ଆଉ ଦୁଇ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ବୋନି କପୁରଙ୍କ ଚିନ୍ତା ବଢିଛି |