ଗୌହ୍ବାଟୀ: କେବଳ ପଶ୍ଚିମବଙ୍ଗରେ ନୁହେଁ, ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଆସାମରେ ବି ଉତ୍ତେଜନା ସେହିପରି ଲାଗି ରହିଛି। ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆହୁରି ୨ ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତ୍ୟୁ ସଂଖ୍ୟା ୫ ଛୁଇଁଛି। ମୃତକ ଦ୍ବୟ ହେଉଛନ୍ତି ଈଶ୍ବର ନାୟକ ଏବଂ ଅବ୍‌ଦୁୁଲ୍‌ ଅଲିମ୍‌। ସେମାନଙ୍କ ଦେହରେ ଗୁଳି ବାଜିବା ପରେ ସେ ଦୁଇ ଜଣଙ୍କୁ ଗୁରୁବାର ଗୌହ୍ବାଟୀ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଥିଲା। ଶନିବାର ଡାକ୍ତର ସେମାନଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ କରିଛନ୍ତି। ଏହି ଆନ୍ଦୋଳନରେ ଏବେ ସୁଦ୍ଧା ସମୁଦାୟ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment

publive-image India TV

ଆସାମରେ ଉତ୍ତେଜନା କମିବାର ନାଁ ଧରୁ ନଥିବା କାରଣରୁ ପ୍ରଶାସନ ପକ୍ଷରୁ ଆନ୍ଦୋଳନ ପ୍ରଭାବିତ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରି ଦିଆଯାଇଛି। ମୋବାଇଲ୍‌ ସେବା ବି କେତେକ ସ୍ଥାନରେ ବନ୍ଦ କରି ଦିଆଯାଇଛି। ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ହେବା ପରେ ଏହା ଗୌହ୍ବାଟୀ, ଦିବ୍ରୁଗଡ଼, ତେଜପୁର, ତିନସୁକିଆ ଆଦି ଅଞ୍ଚଳ‌କୁ ବିଶେଷ ପ୍ରଭାବିତ କରିଛି। ଆନ୍ଦୋଳନକୁ ଆୟତ୍ତକୁ ଆଣିବା ପାଇଁ ଆସାମର ଅନେକ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି।